ଭୁବନେଶ୍ୱର : ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯେତେ ବଢ଼ୁଛି, ଓଡ଼ିଶାରେ ଚିନ୍ତା ସେତିକି ବଢୁଛି । ସମୁଦ୍ର ପଥ ଦେଇ ବାଂଲାଦେଶୀ ଅନୁପ୍ରବେଶକାରୀ ଆସିବାର ଆଶଙ୍କା ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ସମୁଦ୍ର ପଥଦେଇ ବାଂଲାଦେଶୀମାନେ ଓଡ଼ିଶା ଆସିବାର ସମ୍ଭାବନା ବୃଦ୍ଧି ପାଇଛି । ସେଥିପାଇଁ ଓଡ଼ିଶା ସରକାର ସାମୁଦ୍ରିକ ଥାନାକୁ ସଜାଗ ରହିବାକୁ ହାଇଆଲର୍ଟ ଜାରି କରିଛନ୍ତି । ଏହାକୁ ନଜରରେ ରଖି ସଜାଗ ଅଛି କେନ୍ଦ୍ରାପଡ଼ାର ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ।
ସେହିପରି ଜଳ ପଥରେ ବାଂଲାଦେଶ ପଟୁ ଅନୁପ୍ରବେଶ ନେଇ ପୁରୀ ପୋଲିସ ସମ୍ପୂର୍ଣ୍ଣ ସତର୍କ ରହିଥିବା କହିଛନ୍ତି ଏସପି ପିନାକ ମିଶ୍ର । ପୁରୀ ସମୁଦ୍ର ତଟରେ ଅବସ୍ଥିତ କୌଣସି ଅନୁପ୍ରବେଶ ଘଟଣା ଆଶଙ୍କାକୁ ନେଇ କୋଷ୍ଟ ଗାର୍ଡ ସହିତ ପୁରୀ ମେରାଇନ୍ ପୋଲିସ ନିୟମିତ ପାଟ୍ରୋଲିଂ କରିବା ସହ ସୁରକ୍ଷା ପାଇଁ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସପି ।
ବାଂଲାଦେଶୀଙ୍କ ପ୍ରତି ନଜର ରଖାଯାଇଥିବା କହିଛନ୍ତି ପୋଲିସ ଡିଜି। ସମୁଦ୍ର ପଥରେ ବୋଟ୍ ଯୋଗେ ଆସିବା ସମ୍ଭାବନା ଥିବାରୁ ନଜର ରହିଛି। ପାଟ୍ରୋଲିଂ ବଢ଼ାଇବାକୁ ୧୮ଟି ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାକୁ ବିଶେଷ ଭାବେ ଆଲର୍ଟ କରାଯାଇଛି । ସମୁଦ୍ରରେ ୫ ନଟିକାଲ ମାଇଲ୍ ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍ ଓ ସହଯୋଗ ଯୋଗାଇ ଦିଆଯାଇଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି, କଡ଼ା ନଜର ରଖାଯାଇଛି ବୋଲି ଡିଜିପି କହିଛନ୍ତି ।