ଟିଟିଲାଗଡ଼ର ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ଼ ଘଟଣା , କିଛି ସୁରାକ୍ ପାଇପାରୁନି ପୋଲିସ୍

ବଲାଙ୍ଗିର(କେନ୍ୟୁଜ୍) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ଼ ଘଟଣାର କାରଣ ଖୋଜୁଛି ପୋଲିସ। କିଏ , କେଉଁ କାରଣରୁ ବ୍ୟାଙ୍କ ଭିତରେ ପଶି ହିଂସା ଘଟାଇଲା ତାହା ଏବେ ବି ଅସ୍ପଷ୍ଟ ରହିଛି। ଗତକାଲି ଦିନ ଦ୍ୱିପହରରେ ୩ଜଣ ଅଜଣା ଦୁର୍ବୃତ୍ତ ବ୍ୟାଙ୍କରେ ପଶି ଲୋନ୍ ଦେବା ପାଇଁ ବ୍ୟାଙ୍କ ମ୍ୟାନେଜରଙ୍କୁ କହିଥିଲେ। ପରେ ବ୍ୟାଙ୍କ ଲୁଟ୍ କରିବାକୁ ଉଦ୍ୟମ କରି ବ୍ୟାଙ୍କ ମ୍ୟାନେଜରଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା। ଲୁଟ୍ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ମ୍ୟାନେଜର କୈଳାସ ଦୋରାଙ୍କ ପେଟରେ ୩ଟି ଗୁଳି ବାଜିଥିବା ବେଳେ ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ହସ୍ପିଟାଲ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବଲାଙ୍ଗିର ଏସ୍ପିଙ୍କ ସହ ଟିଟିଲାଗଡ ପୋଲିସ ବ୍ୟାଙ୍କ୍କୁ ଯାଇ ତଦନ୍ତ କରିଛନ୍ତି। ସିସିଟିଭି କାମ କରୁନଥିବାରୁ କିଛି ସୁରାକ୍ ମିଳିପାରିନାହିଁ।