ଜଳେଶ୍ଵର : କେତେବେଳେ ବନ୍ଧୁକ ଦେଖାଇ ତ କେତେବେଳେ ସ୍କାଏ ଲାଇଟ ଭାଙ୍ଗି କରୁଛନ୍ତି ଲୁଟ୍ । ଦିନ ଦ୍ୱିପ୍ରହରରେ ହଉ କି ବିଳମ୍ବିତ ରାତିରେ ବେଧଡ଼କ ଭାବେ ଲୁଟ୍ କରୁଛନ୍ତି ଲୁଟେରା । ଲୁଟେରାମାନେ ଲୁଟିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । ଏମାନଙ୍କର ନା ଅଛି ଆଇନ୍ ର ଭୟ ନା ଅଛି ପୋଲିସର ଭୟ । ଘର, ଦୋକାନ ବଜାର, ମନ୍ଦିରରେ ଲୁଟ ଖବର ତ ଆପଣମାନେ ଶୁଣିଥିବେ । ଏବେ ପୁଣି ଲୁଟ୍ କରିଛନ୍ତି ଲୁଟେରା ତାପୁଣି ବ୍ୟାଙ୍କରେ ।
ବିଳମ୍ବିତ ରାତିରେ ବ୍ୟାଙ୍କ ଲୁଟ୍ । ଝରକା କାଟି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ଖପରାପଦା ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି । ଗ୍ୟାସ୍ କଟରରେ ଲୁହା ଗ୍ରିଲକୁ କାଟି ବ୍ୟାଙ୍କ ଭିତରକୁ ପଶିଥିଲେ ଲୁଟେରା ।
ତେବେ ଆଜି ସକାଳେ ଜଣାପଡିଥିଲା ଏ ଘଟଣା । ଯେତେବେଳେ ବ୍ୟାଙ୍କ ଝରକା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏନେଇ ଜାଣିବା ପରେ ତୁରନ୍ତ ବ୍ୟାଙ୍କ ମ୍ୟାନେଜର ଓ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଏନେଇ ଖବର ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ବାଲିଆପାଳ ପୋଲିସ୍ ।
୫ବର୍ଷ ପୂର୍ବେ ଏହି ବ୍ୟାଙ୍କର ସ୍କାଏଲାଇଟ୍ ଭାଙ୍ଗି ବିଭିନ୍ନ ଆସବାବପତ୍ର ଚୋରି କରିଥିଲେ ଦୁର୍ବୃତ୍ତ । ଏବେ ପୁଣି ଝରକା କାଟି ବ୍ୟାଙ୍କରୁ କରିଛନ୍ତି ଲୁଟ୍ । ତେବେ କଣ ଲୁଟ୍ ହୋଇଛି ସେନେଇ ସଠିକ୍ ସୂଚନା ମିଳିନଥିବାବେଳେ, ଏହି ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ ପୋଲିସ୍ ପାଟ୍ରୋଲିଂ କଡାକଡି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।