ଆରମ୍ଭ ହେଲା ମା ଚର୍ଚ୍ଚିକାଙ୍କ ପୀଠରେ ମୂଳାଷ୍ଟମୀ ପୂଜା, ପ୍ରତିଦିନ ମା’ଙ୍କ ହେବ ସ୍ୱତନ୍ତ୍ର ନୀତିକାନ୍ତି

ବାଙ୍କୀ (କେନ୍ୟୁଜ): ଦେବୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା। ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଦୁର୍ଗାଷ୍ଟମୀରେ ଶେଷ ହେବ। ଏହି ସମୟରେ ମା’ଙ୍କୁ ପ୍ରତ୍ୟେକ ଦିନ ଷୋଡ଼ଶ ଉପଚାରରେ ପୂଜା କରାଯିବ ସହ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ସେହିପରି ବାଙ୍କୀର ଅଧିଷ୍ଟାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି । ଷୋଳ ପୂଜା ପାଇଁ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠ ଚଳଚଞ୍ଚଳ।

ସକାଳୁ ମାଙ୍କ ପହଡ଼ ଖୋଲା ଯାଇ ମଙ୍ଗଳା ଆରତୀ, ଅବକାଶନୀତି, ପରେ ମାଜଣା,କରାଯାଇ ମହାନଦୀରୁ ୧୦୮ ଗରା ପାଣି ଅଣାଯାଇ ମାଙ୍କୁ ଜଳରେ ସ୍ନାନ କରାଯାଇଛି।ମାଜଣାପରେ କଳସପୂଜା,ନେତଲାଗି,ସୂର୍ଯ୍ଯପୂଜା ପରେ ଦ୍ୱାରପାଳ ପୂଜା ସରିବା ପରେ ପ୍ରଥମ ବଲଭପୂଜା କରାଯାଇଛି। ଏହି ଷୋଡ଼ଦିନାତ୍ମକ ପୂଜା ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ଯନ୍ତ ଚାଲେ। ମା ଚର୍ଚ୍ଚିକା ଙ୍କର ଦର୍ଶନକରିବାପାଇଁ ବହୁ ଦୂରଦୁରନ୍ତରୁ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି। ଏହି ଦିନ ମାନଙ୍କରେ ମା’ ବିଭିନ୍ନ ବେଶରେ ସୁସଜ୍ଜିତ ହେଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି ।

ପ୍ରତିବର୍ଷ ପରି ଚଳିତ ବର୍ଷ ଗତକାଲି ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ଶାରଦୀୟ ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ଦିନ ଚାଲିବ । ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

 

You might also like