୨ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ, ଦୁଇ ମାସ ଭିତରେ ଦାବି ବିଚାର ନେଇ ସରକାରଙ୍କ ପ୍ରତିଶ୍ରୁତି

ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ। ମାର୍ଚ୍ଚ ୨୪ ଓ ୨୫ ତାରିଖରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରହିଛି। ୯ ଦଫା ଦାବିରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା । ତେବେ ବ୍ୟାଙ୍କ ସଙ୍ଘର ଦାବିକୁ ଶୁଣିବାକୁ ସରକାର ରାଜି ହୋଇଛନ୍ତି ବୋଲି ବ୍ୟାଙ୍କ ଧର୍ମଘଟ ବନ୍ଦ ରହିଲା । ଦୁଇ ମାସ ଭିତରେ ଦାବି ବିଚାର ନେଇ ପ୍ରତିଶ୍ରୁତି ମିଳିଛି ବୋଲି ସଙ୍ଘ କହିଛି । ଦାବି ଶୁଣିବାକୁ ପ୍ରତିଶ୍ରୁତି ପରେ ବ୍ୟାଙ୍କ ଧର୍ମଘଟ ସ୍ଥଗିତ କରାଯାଇଛି ।
ସୂଚନାଯୋଗ୍ୟ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ଦିଆଯାଇଥିବା ୯ ଦଫା ଦାବି ଗୁଡିକ ହେଲା ବ୍ୟାଙ୍କର ସବୁ ବର୍ଗରେ ପର୍ଯ୍ୟାପ୍ତ ସଂଖ୍ୟକ ନିଯୁକ୍ତି, ଆର୍ଥିକ ସେବା ବିଭାଗ ଦ୍ବାରା ପିଏଲ୍ଆଇ ସଂକ୍ରାନ୍ତ ନିର୍ଦ୍ଦେଶନାମାର ସମୀକ୍ଷା, ବ୍ୟାଙ୍କ ଶାଖାରେ ବିଶୃଙ୍ଖଳିତ ଲୋକ ଓ ଗ୍ରାହକଙ୍କ ଦ୍ବାରା ହେଉଥିବା ଆକ୍ରମଣରୁ କର୍ମଚାରୀ ଓ ଅଧିକାରୀମାନଙ୍କୁ ସୁରକ୍ଷା, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ୱାର୍କମେନ୍/ଅଫିସର ନିର୍ଦ୍ଦେଶକ ପଦବି ପୂରଣ, ଆଇବିଏ ନିକଟରେ ପଡ଼ି ରହିଥିବା ବିଷୟଗୁଡ଼ିକର ସମାଧାନ, ଗ୍ରାଚୁଇଟି ସୀମା ବୃଦ୍ଧି, ଆଇଡିବିଆଇ ବ୍ୟାଙ୍କରେ ୫୧ ପ୍ରତିଶତ ଅଂଶଧନ ବଜାୟ ରଖିବା, ସାପ୍ତାହିକ ୫ ଦିନ କାର୍ଯ୍ୟଦିବସ ଆଦି ଦାବି ପୂରଣ ପାଇଁ ବ୍ୟାଙ୍କ ସଂଘଗୁଡ଼ିକ ଧର୍ମଘଟ ଡାକରା ଦେଇଥିଲେ। ଏହି ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟରେ ୬ ହଜାର ବ୍ୟାଙ୍କ୍ ଶାଖାର ୩୭ ହଜାର କର୍ମଚାରୀ ସାମିଲ ହୋଇଥାନ୍ତେ ।
ଯଦି ମାର୍ଚ୍ଚ ୨୪ ଓ ୨୫ ତାରିଖ ଧର୍ମଘଟ ହୋଇଥାନ୍ତା, ତାହା ହେଲେ ମୋଟ ୪ ଦିନ ବ୍ୟାଙ୍କ୍ ବନ୍ଦ ରହିଥାନ୍ତା । କାରଣ ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି । ଏଣୁ ଲଗାତର ୪ ଦିନ ବ୍ୟାଙ୍କ ଛୁଟି ରହିଲେ, ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥାନ୍ତେ । ତେବେ ଆଜି ଶ୍ରମ କମିଶନରଙ୍କ ସହ ଆଲୋଚନା ପରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ଧର୍ମଘଟକୁ ସ୍ଥଗିତ ରଖିଛି।
ଆହୁରି ପଢ଼ନ୍ତୁ : ଆୟୁଷ୍ମାନ ଭାରତ ଯୋଜନା ସହ ୧୦ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ବିଧାନସଭାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ