ପଡ଼ିଲା ହାତଗଣ୍ଠି, ବୈଦିକ ରୀତିନୀତି ରେ ସରିଲା ବର-ଅଶ୍ୱତ୍ଥ ଗଛର ବାହାଘର

ପଡ଼ିଲା ହସ୍ତଗଣ୍ଠି। ବୈଦିକ ରୀତିନୀତିରେ ସରିଲା ବାହାଘର। ଏ ବାହାଘର କୋଣସି ବ୍ୟକ୍ତିଙ୍କର ନୁହେଁ ବରଂ ଦୁଇଟି ଗଛର.. ବାଜା,ବାଣ ଓ ଭୋଜି ଭାତର ଆସର ଜମିଲା ଗାଁରେ । ଆଉ ଭାରି ଖୁସିରେ ବାହାଘର ଦେଖି ଭୋଜି ଖାଇ ଘରକୁ ଫେରିଲେ ବନ୍ଧୁ ବାନ୍ଧବ ଓ ଗାଁ ଲୋକେ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତିଆଡିସାହିରେ ବର ଏବଂ ଅଶ୍ୱତ୍ଥ ଗଛ ବାହାଘର ଉତ୍ସବରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ଯ । ଲୋକ ବିଶ୍ୱାସ ଅନୁଯାୟୀ ଯେଉଁଠି ବର ଓ ଅଶ୍ୱତ୍ଥ ଗଛ ସାଥୀ ହୋଇ ଥିବେ ସେଠି ଦୁହିଁଙ୍କ ବିବାହ କରିବାର ପ୍ରଥା ରହିଛି। ବର ସହିତ ଅଶ୍ୱତ୍ଥ ବିବାହ ବହୁ ପୁରାତନ ପ୍ରଥା। ଏହା ଗାଁଠୁ ଆରମ୍ଭ କରି ବାହାଘର କରାଉଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ହୋଇଥାଏ ।

ଏଠାରେ ବାହାଘର ନିମିତ୍ତ ବେଦୀ ବି ବନ୍ଧା ହୋଇଛି। ଆଉ ତା ସାଙ୍ଗକୁ ବାଜା ବି ବାଜୁଛି । ଏଠି ବର ହେଉଛି ବରଗଛ ଏବଂ ଓସ୍ତ ବା ଅଶ୍ୱତଥ ଗଛ ସାଜିଛି କନିଆ । ବର, କନ୍ଯା ମଙ୍ଗୁଳା ପରି ଏମାନଙ୍କୁ ମଧ୍ୟ କର୍ତ୍ତା ହଳଦୀ ଲଗାଇ ମଙ୍ଗୁଳଇବା ସହ ବନ୍ଦାପନା କରିଥିଲେ । ଯାହା ବିଶ୍ୱାସ ରହିଛି, ନିଜ ମାନସିକ ପୂର୍ଣ୍ଣ ହେବା ପରେ ସେହି ପରିବାର ଏହି ବିବାହ ଦାୟିତ୍ୱକୁ ତୁଲାଇଥାନ୍ତି। ସେହିପରି ଏଠାରେ ନିଜ ମାନସିକ ପୂରଣ ହେବା ପରେ ତିଆଡିସାହିର ଦୁଇ ପରିବାର ମିଶି ବେଶ ଧୁମଧାମରେ ନିଜ ପୁଅ ଝିଅ ବାହାଘର ପରି ବର ଏବଂ ଓସ୍ତ ଗଛର ବାହାଘର କରିଛନ୍ତି ।

ତିଆଡି ସାହିର ଅବଧୂତ ବଳ ଓ ମାଣିକ ନାଥଙ୍କ ପରିବାର ନିଜର ପୁତ୍ର ସନ୍ତାନ ଜନ୍ମ ପାଇଁ ମାନସିକ କରିଥିଲେ । ପୁଅ ଜନ୍ମ ହୋଇ ତାକୁ ଏବେ ୧୬ ବର୍ଷ ହୋଇଛି । ତେଣୁ ନିଜର ମାନସିକ ପୂରଣ ନିମନ୍ତେ ଏହି ବାହାଘର କରିଥିବା କହିଛନ୍ତି ବର ଓ କନ୍ଯା କର୍ତ୍ତା ।ତେବେ ବିଶ୍ୱାସ ଓ ବୈଦିକ ମାନ୍ୟତା ଯାହା ଥାଉ ନା କାହିଁକି ବୃକ୍ଷ ହେଉଛି ଏ ପ୍ରାଣୀ ଜଗତ ପାଇଁ ଅତ୍ୟନ୍ତ ଦରକାରୀ । ବିଶେଷ କରି ଉଭୟ ବର ଏବଂ ଓସ୍ତ ଗଛ ବାୟୁ ମଣ୍ଡଳକୁ ଅଧିକ ଅମ୍ଳଯାନ ଦେଇଥାନ୍ତି । ତେଣୁ ଏହି ଗଛଗୁଡ଼ିକ ଲଗାଇବା ଉଚିତ । ଏହି ବାର୍ତ୍ତା ରହିଛି ବର ଓସ୍ତ ବାହାଘରରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.