ହାଇକୋର୍ଟରେ ବାରବାଟୀ କଟକ ବିଧାନସଭା ନିର୍ବାଚନ ମାମଲାର ଶୁଣାଣି: ଖାରଜ ହେଲା ବିଧାୟକ ମହମ୍ମଦ ମୋକିମଙ୍କ ପିଟିସନ

କଟକ(କେନ୍ୟୁଜ): ହାଇକୋର୍ଟରେ ବାରବାଟୀ କଟକ ବିଧାନସଭା ନିର୍ବାଚନ ମାମଲାର ଶୁଣାଣି କରି ବିଧାୟକ ମହମ୍ମଦ ମୋକିମଙ୍କ ପିଟିସନ ଖାରଜ କରିଛନ୍ତି ଅଦାଲତ। ଏହାସହ ବିଧାୟକ ମହମ୍ମଦ ମୋକିମଙ୍କୁ ୫ ହଜାର ଟଙ୍କାର ତଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ପରାଜିତ ପ୍ରାର୍ଥୀ ବିଜେଡି ନେତା ଦେବାଶିଷ ସାମନ୍ତରାୟ। ଏହି ମାମଲାରେ ବିଧାୟକ ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ଓ ସଠିକ ନୋମିନେସନ ଫର୍ମରେ ପ୍ରାର୍ଥୀ ପତ୍ର ଦାଖଲ ହୋଇ ନଥିବା ଅଭିଯୋଗ ହୋଇଥିଲା। ଏହା ସହ ମହମ୍ମଦ ମୋକିମ ତାଙ୍କର ଅପରାଧିକ ମାମଲାର ତଥ୍ୟ ଦାଖଲ କରି ନ ଥିବା ମାମଲାରେ ଦର୍ଶାଯାଇଥିଲା।

ଦେବାଶିଷ ସାମନ୍ତରାୟଙ୍କ ନିର୍ବାଚନ ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ ବିଧାୟକ ମହମ୍ମଦ ମୋକିମ। ମହମ୍ମଦ ମୋକିମଙ୍କ ଏହି ପିଟିସନକୁ ଖାରଜ କରିଛନ୍ତି ହାଇକୋର୍ଟ। ଏବେ ଦେବାଶିଷ ସାମନ୍ତରାୟଙ୍କ ଦ୍ଵାରା ଆଗତ ନିର୍ବାଚନ ମାମଲାର ହେବ ଶୁଣାଣି। ବିଧାୟକ ମହମ୍ମଦ ମୋକିମ ୫ ହଜାର ଟଙ୍କାର ଅର୍ଥରାଶି ପ୍ରତିପକ୍ଷଙ୍କୁ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।