ବାରବାଟୀ ମ୍ୟାଚ : ଦର୍ଶକଙ୍କ ପାଇଁ ପାଞ୍ଚଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା, ଜାଣନ୍ତୁ କେଉଁଠି ରଖିବେ ଗାଡ଼ି

କଟକ : ଇଣ୍ଡିଆ ଇଂଲଣ୍ଡ ବାରବାଟୀ ଲଢେଇ ପାଇଁ ଜୋରଦାର୍ ଆଗେଇ ଚାଲିଛି ପ୍ରସ୍ତୁତି । ଆଜି ଅପରାହ୍ନରେ କଟକ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବି.ପରମେଶ୍ବନ୍ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆରଡିସିଙ୍କ ସହ ଓସିଏ ପଦାଧିକାରୀ, କଟକ ଜିଲ୍ଲାପାଳ, ଅତିରିକ୍ତ ପୋଲିସ କମିଶନର ଉପସ୍ଥିତ ଥିଲେ । ମ୍ୟାଚର ସୁପରିଚାଳନା ନେଇ ବ୍ୟାପକ ଭାବରେ ଆଲୋଚନା କରାଯାଇଛି ।

ଆସନ୍ତା ୭ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରାଯିବ ବୋଲି ସୂଚନା ଦେଇଛନ୍ତି ଆର୍ ଡି ସି ।  ଏନେଇ ପାଞ୍ଚଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା ।  ମୋଟ ୨୫ ହଜାର ଯାନ ବାହନ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି ।  ତଳ ବାଲିଯାତ୍ରା ପଡିଆ ବ୍ୟବହାର ନେଇ ଗ୍ରୀନ ଟ୍ରିବ୍ୟୁନାଲ୍ ବା ଜାତୀୟ ସବୁଜ ପ୍ରାଧିକରଣଙ୍କର କଟକଣା ରହିଥିବା ବେଳେ, ଜରୁରୀକାଳୀନ ପରିସ୍ଥିତିରେ ତଳ ବାଲିଯାତ୍ରା ପଡ଼ିଆରେ ମଧ୍ୟ ପାର୍କିଂ କରାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  ଉପର ଓ ତଳ ବାଲିଯାତ୍ରା ପଡିଆ ଏବଂ ଅନ୍ୟ ତିନୋଟି ସ୍ଥାନରେ ହେବ ପାର୍କିଂ ।  ଅନ୍ୟ ସମସ୍ତ ସ୍ଥାନ ଭର୍ତ୍ତି ହୋଇଯିବା ପରେ ହିଁ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରାଯିବ ।  ଏଭଳି ପରିସ୍ଥିତି ନ ହେଲେ ତଳ ବାଲିଯାତ୍ରା ପଡ଼ିଆ ବ୍ୟବହାର କରାଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଚାରି ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଖାଦ୍ୟର ମାନ ନିରୀକ୍ଷଣ କରିବା ପାଇଁ ନିୟୋଜିତ କରାଯିବ ।  ମ୍ୟାଚ୍ ଦିନ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ଖାଦ୍ୟ ପଦାର୍ଥ ବିକ୍ରି କରାଯିବ ନାହିଁ ବୋଲି କୁହାଯାଇଛି । ଯିଏ ବିକ୍ରି କରିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।  ଉପ ଜିଲ୍ଲାପାଳଙ୍କ ନେତୃତ୍ଵରେ ଏହାର ଅନୁଧ୍ୟାନ ପାଇଁ ଏକ ଟିମ୍ ଗଠନ କରାଯାଇଛି ।  ତିନିଟି ସ୍ଥାନରେ ଫ୍ୟାନ୍ସ ପାର୍କ କରାଯାଉଛି ।  ଯେଉଁ ମାନେ ଟିକେଟ ପାଈ ପାରିବେ ନାହିଁ, ସେମାନେ ଏହି ସ୍ଥାନରେ ମ୍ୟାଚ୍ ଦେଖିବା ପାଇଁ ବଡ ଏଲ ଇ ଡି ସ୍କ୍ରିନ୍ ର ବ୍ୟବସ୍ଥା କରାଯିବ ।  ତଳ ବାଲିଯାତ୍ରା ପଡ଼ିଆରେ ଦୁଇଟି ସ୍ଥାନ ଓ ସତ୍ୟବ୍ରତ ଷ୍ଟାଡିୟମରେ ଫ୍ୟାନ୍ସ ପାର୍କ ପାଇଁ ବ୍ୟବସ୍ଥା କରାଯାଉଛି ।  ସୌନ୍ଦର୍ଯ୍ୟକରଣ ତଥା ଆଲୋକିକରଣ ପାଇଁ କଟକ ମହାନଗର ନିଗମକୁ ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି ।

 

 

ଆହୁରି ପଢନ୍ତୁ : ଫେବୃଆରୀ ୧୫ରୁ କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହେବ ହକି ମହାକୁମ୍ଭ, ମାଗଣାରେ ମ୍ୟାଚ ଦେଖିପାରିବେ ଦର୍ଶକ