ଶେଷ ହେଲା ଧନୁଯାତ୍ରା: ପ୍ରାୟଶ୍ଚିତ ପାଇଁ ମହୋଦଧିରେ ସ୍ନାନ କରି ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିବେ କଂସ

ବରଗଡ଼ର: କଂସ ବଧ ସହ ଶେଷ ହେଲା ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଶେଷ ଦିନରେ ମଞ୍ଚରୁ ପଡ଼ି ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ମୃତ୍ୟୁ ହୋଇଛି । ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପଡିଲା ଯବନିକା । ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି । କ୍ରୁର କଂସର ଶାସନରୁ ମଥୁରାକୁ ମୁକ୍ତି ମିଳିଛି। ଏହାପରେ ଶ୍ରୀକୃଷ୍ଣ ଓ ଭାଇ ବଳରାମ ମଥୁରା ନଗରୀ ଭ୍ରମଣ କରିଛନ୍ତି। ଧନୁଯାତ୍ରାର ଅନ୍ତିମ ଦୃଶ୍ୟ ଦେଖିବାକୁ ବରଗଡ଼ରେ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଥିଲା ।
୧୧ଦିନର ଏହି ଧନୁଯାତ୍ରାରେ ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ଗୋପପୁର ସାଜିଥିଲା । ଦେବକୀ ବସୁଦେବଙ୍କ ବିବାହରୁ ଆରମ୍ଭ ହୋଇଥିଲା ଧନୁଯାତ୍ରା। ଏହାପରେ କଂସଙ୍କୁ ଦୈବବାଣୀ, ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ କାରାଗାର ପ୍ରେରଣ, କୃଷ୍ଣ ଜନ୍ମ, କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, ଗୋପରୁ ମଥୁରା ଆଗମନ ଓ କଂସ ବଧ ପରିବେଷଣ କରାଯାଇଥିଲା। ୧୧ ଦିନର ରାଜୁତିରେ ମହାରାଜା କଂସଙ୍କ ନଗର ଭ୍ରମଣ ସହ ଦରବାରରେ ନେତା, ମନ୍ତ୍ରୀ ଓ ପ୍ରଶାସକଙ୍କୁ ଜନ କଲ୍ୟାଣ ପାଇଁ ତାଗିଦ କରିଥିଲେ ମହାରାଜା କଂସ।
ଅନ୍ୟପଟେ ମଞ୍ଚରେ ଅଭିନୟବେଳେ ପ୍ରଭୁ କୃଷ୍ଣଙ୍କୁ କଟୁ କଥା ଓ ଅପମାନ କରିଥିବାରୁ ମହାପ୍ରଭୁଙ୍କୁ କ୍ଷମା ମାଗିବେ କଂସ । ଅର୍ଥାତ୍ କଂସ ଚରିତ୍ରରେ ଅଭିନୟ କରିଥିବା ହୃଷୀକେଶ ଭୋଇ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଜଗତଗୁରୁଙ୍କ ଶଙ୍କରାଚାର୍ଯ୍ୟଙ୍କ ଶରଣରେ କ୍ଷମା ପ୍ରାର୍ଥନା କରିବେ । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ହୃଷିକେଶ ଭୋଇ । ଦୀର୍ଘ ୧୧ ଦିନ ଧରି କଂସ ଭୂମିକାରେ ଅଭିନୟ କରି ଶ୍ରୀକୃଷ୍ଣଙ୍କୁ କଟୁ କଥା କହିବା ସହ ମାରିବା ପାଇଁ ଉଦ୍ୟମ କରିଥିଲେ । ଏହି ମହାପାପର ପ୍ରାୟଶ୍ଚିତ ପାଇଁ ସେ ଜଗନ୍ନାଥଧାମ ଆସି ନିଜେ କରିଥିବା ଭୁଲର ପ୍ରାୟଶ୍ଚିତ କରିବେ ।
Also Read: ଜମୁଛି ବରଗଡ଼ ଧନୁଯାତ୍ରା, ଷଷ୍ଠ ଦିନରେ ଯମୁନା ତୁଠରେ ଗୋପୀଙ୍କ ବସ୍ତ୍ରହରଣ କରିଛନ୍ତି ନନ୍ଦ ନନ୍ଦନ