ଆଜି ପବିତ୍ର ମହାବାରୁଣୀ ସ୍ନାନ, ବୈତରଣୀ କୂଳରେ ପିଣ୍ଡଦାନ ସହ ବୁଡ ପକାଇଲେ ଶ୍ରଦ୍ଧାଳୁ

ଯାଜପୁର: ଆଜି ଯାଜପୁରର ପ୍ରସିଦ୍ଧ ମହାବାରୁଣୀ ସ୍ନାନ । ପୂଣ୍ୟତୋୟା ବୈତରଣୀ ନଦୀରେ ଚଳିତ ବର୍ଷ ମହା ବାରୁଣୀ ବୁଡ଼ ଅନୁଷ୍ଠିତ ହୋଇଛି । ଏଥିପାଇଁ ଯାଜପୁରର ଦଶାଶ୍ବମେଧ ଘାଟରେ ଆଜି ସକାଳୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି । ଏଥିସହିତ ବୈତରଣୀ ନଦୀ କୂଳରେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି । ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ଓ ରାଜ୍ୟ ବାହାରୁ ବହୁ ଭକ୍ତ ସାମିଲ ହୋଇଛନ୍ତି । ଚଳିତ ବର୍ଷ ୨୬ ତାରିଖ ରାତ୍ର ୧୧ଟା ୪୮ ଠାରୁ ୨୭ ତାରିଖ ଦିନ ୮ଟା ୧୨ ପର୍ଯ୍ୟନ୍ତ ବାରୁଣୀ ସ୍ନାନ ଯୋଗ ରହୁଥିବା ଜଣାପଡିଛି । ଶ୍ରଦ୍ଧାଳୁ ମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ, ପୋଲିସ ଓ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ସେପଟରେ ଆଜି ସେହି ଘାଟକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ପାଇଁ ବାରିଗେଟ ବ୍ୟବସ୍ଥା କରାଯାଇଛି । ତେବେ ପୂର୍ବରୁ ଜିଲ୍ଲାପାଳ ପି ଅନ୍ୱେଶା ରେଡ଼ିଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ଥିଲେ। ସେହିପରି ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସମ୍ଭାବ୍ୟ ଭିଡ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଯାଜପୁର ପୌରପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଆହୁରି ପଢ଼ନ୍ତୁ : ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ଥିରୀକୃତ ସମସ୍ତ ନୀତିକାନ୍ତିକୁ ଅନୁପାଳନ କରାଯିବ : ଦଇତାପତି ନିଯୋଗ ସଂପାଦକ