ଶ୍ରୀଜୀଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦାୟିତ୍ୱରେ ବଉଳ କାଠ, ଜାଣନ୍ତୁ ଏହାକୁ ନେଇ କିମ୍ବଦନ୍ତୀ କଣ କହେ

ପିପିଲି(କେ ନ୍ୟୁଜ): ଘୋଷଯାତ୍ରା ସମୟରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗକୁ ସୁରକ୍ଷା ଦିଏ ବକୁଳ ବା ବଉଳ କାଠ । ସେ ପୁଣି ଆଉ କେଉଁଠିକାର ନୁହେଁ ପୁରୀ ସାକ୍ଷୀଗୋପାଳର ସେହି ବକୁଳ ବନ | ଯେଉଁଠି ଉତ୍କଳ ମଣି ଗୋପବନ୍ଧୁ ସ୍ଥାପନ କରିଥିଲେ ସତ୍ୟବାଦୀ ବିଦ୍ୟାଳୟ | ଏକଥା କେବେ ଶୁଣି ନଥିଲେ ନା | ତେବେ ଆଜି ଆସନ୍ତୁ ଜାଣିବା କିମ୍ବଦନ୍ତୀରେ ଏହାକୁ ନେଇ ଥିବା ଏକ ସୁନ୍ଦର କାହାଣୀ ବିଷୟରେ | ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ର ଦୁଇ ଭାଇ ଦିନେ ସାକ୍ଷୀଗୋପାଳର ବକୁଳବନକୁ ପଣସ ଖାଇବାକୁ ଆସିଥିଲେ । ସେମାନଙ୍କ ଅଜା ସିଦ୍ଧ ପୁରୁଷ ବଳରାମଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ପଣସ ଖାଇ ତାଙ୍କ ମୁଣ୍ଡରେ ଅଠା ବୋଳି ଦେଇଥିଲେ । ଏହା ପରେ ଅଜା ବଳରାମ ଜଗନ୍ନାଥ ଏବଂ ବଳଭଦ୍ରଙ୍କୁ ବଉଳ ଗଛରେ ବାନ୍ଧି ଦେଇଥିଲେ । ଘୋଷଯାତ୍ରାରେ ବଉଳକାଠ ଲାଗିହେବ ବୋଲି କଥା ଦେବାପରେ ଦୁଇ ଭାଇ ମୁକୁଳି ପାରିଥିଲେ । ସେହି ଦିନ ଠାରୁ ବକୁଳ କାଠ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେବାର ବିଧି ରହି ଆସିଛି ।

baula katha

ପାଖେଇ ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା । ଯେଉଁଥିରେ ଯୋଗ ଦିଅନ୍ତି ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଜାତି ଧର୍ମ ନିର୍ବିଶେଷରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପାଇଁ ରତ୍ନ ସିଂହାସନରୁ ରଥକୁ ଓହ୍ଲାଇ ଆସନ୍ତି ତିନି ଠାକୁର । ଆହାଃ କି ମନୋରମ ଦୃଶ୍ୟ ସତରେ | କିନ୍ତୁ ଗତ ଦୁଇ ବର୍ଷ ହେବ କରୋନା କାରଣରୁ କିଛିଟା ପରିବର୍ତ୍ତନ ଆସିଛି ମହାପ୍ରଭୁଙ୍କ ଏହି ଯାତ୍ରାରେ | ଶ୍ରଦ୍ଧାଳୁ ସିନା ଯୋଗ ଦେଇ ପାରୁନାହାନ୍ତି କିନ୍ତୁ ମହାପ୍ରଭୁଙ୍କ ବିଧିରେ ବ୍ୟାଘାତ ହେବ କେମିତି | ମାନବୀୟ ଲୀଳାଖେଳା ଦେଖାଉଥିବା ଜଗନ୍ନାଥଙ୍କର ଲୀଳା ବି ସ୍ୱତନ୍ତ୍ର | ଆମ ସୁରକ୍ଷାରେ ସିନା ସେ ଅଛନ୍ତି ତାଙ୍କର ବି ତ ସୁରକ୍ଷା ଲୋଡ଼ା | ରଥଯାତ୍ରାର ପହଣ୍ଡି ସମୟରେ ଠାକୁରଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଆବଶ୍ଯକ ପଡ଼ିଥାଏ ସେନାପଟ ଓ ବାହାଟ । ଯାହାକୁ ବକୁଳ ବା ବଉଳ କାଠରେ ତିଆରି କରାଯାଏ । ପବିତ୍ର ନିର୍ଜଳା ଏକାଦଶୀ ଅବସରରେ ମହାପ୍ରଭୁଙ୍କ ଭୋଇ ସେବାୟତମାନେ ଶଗଡ଼ ବଳଦ ଧରି ପହଂଚି ଥାନ୍ତି ବକୁଳବନ ନିକଟରେ ।

baula katha

ପୂର୍ବରୁ ସେବକମାନେ ଥରେ ଆସି ଗଛ ଚିହ୍ନଟ କରିଥାନ୍ତି । ଆଉ ଏକାଦଶୀ ଦିନ ଆସି ନଡ଼ିଆ ବାଡ଼େଇ ଧୂପ ଦ୍ୱୀପରେ ପୂଜାର୍ଚ୍ଚନା କରାଯାଇ ପୁଷ୍ପମାଳ ଅର୍ପଣ କରାଯିବା ପରେ ଆରମ୍ଭ ହୋଇଥାଏ ଗଛ କଟା ପର୍ବ । ଭୋଇ ସେବାୟତମାନେ କୁରାଢୀ ସାହାର୍ଯ୍ଯରେ ବୃକ୍ଷକୁ କାଟିଥାନ୍ତି । ତିନି ଠାକୁରଙ୍କ ଉଦ୍ଦେଶ୍ୟରେ ବକୁଳ ବୃକ୍ଷକୁ କୁରାଢୀରେ ତିନି ଖଣ୍ଡ କରି କଟାଯାଏ | ସତ୍ଯବାଦୀ ବକୁଳବନ ଅଂଚଳରୁ ଗଛ କଟାଯାଇ ଶଗଡ଼ରେ ଶ୍ରୀମନ୍ଦିର ଅଭିମୂଖେ ନିଆଯାଇଥାଏ । ଘଂଟଘଂଟା ସାଙ୍ଗକୁ ଯୋଡ଼ି ମହୁରୀ ସହିତ ହରିବୋଲ ହୁଳହୁଳିରେ କଂପିଯାଏ ଚତୁର୍ଦିଗ । ଯିବା ବାଟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥାଏ । ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ପାଇବାକୁ ପରା ଯାଉଛି ସାମ୍ମନ ନ ପାଇବ ବା କେମିତି | ଏହି ଗଛ କଟା ଓ ଶଗଡ଼ରେ ବୋହି ନେବାର ପରମ୍ପରା ବାପ ଜେଜେ ଅମଳରୁ କରି ଆସୁଥିବା ନେଇ ସେବାୟତମାନେ କହିଛନ୍ତି |

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.