ବିବାଦର ହେଲା ସମାଧାନ, ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଗଡ଼ିଲା ବସ

ଭୁବନେଶ୍ବର(କେନ୍ଯୁଜ୍):  ତୁଟିଲା ବିବାଦ । ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଗଡ଼ିଲା ବସ । ଭୁବନେଶ୍ୱର ଓ ପୁରୀ ଘରୋଇ ବସ ମାଲିକ ସଂଘ ମଧ୍ୟରେ ବିବାଦର ସମାଧାନ ପରେ ଗତକାଲି ରାତିରୁ ଏହି ରୁଟ୍‌ରେ ପୁଣି ବସ୍‌ ଚଳାଚଳ ଆରମ୍ଭ କରିଛି । ବସ ଚଳାଚଳ ସମୟ ନିର୍ଘଣ୍ଟକୁ ନେଇ ଦୁଇ ସଂଘ ମଧ୍ୟରେ ଦେଖାଦେଇଥିଲା ବିବାଦ । ଏଥିଯୋଗୁଁ ଦୁଇଦିନ ହେଲା ଭୁବନେଶ୍ୱରରୁ ପୁରୀକୁ ବସ ଯାଉନଥିଲା କିମ୍ବା ପୁରୀରୁ ବସ ଭୁବନେଶ୍ୱରକୁ ଆସୁନଥିଲା । ପ୍ରତିଦିନ ଭୁବନେଶ୍ୱରରୁ ୬୫ ଟି ବସ ପୁରୀକୁ ଯାଉଥିବା ବେଳେ ପୁରୀରୁ ୭୫ ଟି ବସ ଭୁବନେଶ୍ୱର ଓ କଟକ ଯିବାଆସିବା କରୁଥିଲା ।

busତେବେ ବିବାଦ ଯୋଗୁଁ ବସ୍‌ ନ ଗଡ଼ିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗତକାଲି ପରିବହନ କମିଶନର ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଟକ ବସ୍‌ ମାଲିକ ସଂଘ, ପୁରୀ ବସ୍‌ ମାଲିକ ସଂଘ ଓ ଭୁବନେଶ୍ୱର ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ । ସେହିପରି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିବହନ ସଚିବ, ଆରଟିଓଙ୍କ ସମେତ ପରିବହନ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ବିବାଦର ସମାଧାନ ହେବା ପରେ ପୁଣି ବସ୍‌ ଚଳାଚଳ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like