ଶ୍ରମିକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ମାଟି ବୋହିଲେ ପାଟଣାଗଡ଼ ବିଡିଓ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବିଡିଓ ଶ୍ରମିକ ଦିବସରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ ତଦାରଖ କରିବାକୁ ଯାଇଥିବା ସମୟରେ ନିଜେ ଭାରରେ ମାଟି ବୋହିଥିଲେ । ମାଟି ବୋହିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ସୂଚନା ମୁତାବକ ପାଟଣାଗଡ଼ ବିଡିଓ ସୁମନ ମିଞ୍ଜ ପ୍ରତିଦିନ ପରି ଗତ କାଲି ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରାମପଞ୍ଚାୟତକୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ ତଦାରଖ ପାଇଁ ଯାଇଥିବା ବେଳେ ଶ୍ରମିକ ଦିବସ ଅବସରରେ ଶ୍ରମିକମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ମାଟି ଖୋଳି ଭାରରେ ମାଟି ବୋହିଥିଲେ । ଏହା ବ୍ୟତୀତ ଶ୍ରମିକମାନଙ୍କ ସହିତ ଆସିଥିବା ଛୁଆମାନଙ୍କୁ ବିସ୍କୁଟ ବାଣ୍ଟିଥିଲେ ଓ ସମସ୍ତ ଶ୍ରମିକ ଭାଇମାନଙ୍କୁ ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପଟେ ପାଟଣାଗଡ଼ ବିଡିଓଙ୍କ ଏଭଳି କାର୍ଯ୍ୟକୁ ନେଇ ପ୍ରଶଂସା କରିଛନ୍ତି ବୁଦ୍ଧିଜିବୀ ।
ଶ୍ରମିକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ମାଟି ଖୋଳିବା, ମାଟି ବୋହିବା ଦ୍ବାରା ଶ୍ରମିକମାନଙ୍କ ମନରେ ଆତ୍ମୀୟତା ସୃଷ୍ଟି କରିପାରିଛନ୍ତି ବିଡିଓ । ଶ୍ରମିକମାନେ ରାଜ୍ୟ ବାହାରକୁ ନଯାଇ ନିଜ ଗାଁରେ ନିଜ ପରିବାର ସହିତ ରହି ଶ୍ରମ ଭିତ୍ତିକ କାମ କରି ସ୍ୱାଭିମାନର ସହିତ ବଞ୍ଚିବେ ସେନେଇ ବିଡିଓ ଶ୍ରମିକମାନଙ୍କୁ ଉତ୍ସାହିତ କରିଛନ୍ତି ।
ଦାନା ଯୋଗାଡ ପାଇଁ ଭିଟାମାଟିରୁ ବାହାର ରାଜ୍ୟକୁ ଯାଇ ନିର୍ଯାତିତ ହେଉଛନ୍ତି ନିରୀହ ଗରିବ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ବାହାର ରାଜ୍ୟକୁ ବେଆଇନ ଭାବରେ କାମ କରିବାକୁ ଯାଇଥାନ୍ତି । ସରକାରଙ୍କ ନିୟମ କାନୁନକୁ ଫୁକରି ଶ୍ରମିକ ଚାଲାଣ କରିଥାନ୍ତି ଦାଦନ ସର୍ଦ୍ଦାର । ତେଣୁ ଏହି ଶ୍ରମିକମାନଙ୍କୁ ଜିଲ୍ଲାରେ କାମ ଯୋଗାଇ ଦେଇଥିବାରୁ ଏମାନେ ବାହାର ରାଜ୍ୟକୁ ଖଟିବାକୁ ଯାଉ ନାହାନ୍ତି କି ନିର୍ଯାତନାର ଶିକାର ହେଉନାହାନ୍ତି ।
Also read: ସରପଞ୍ଚ ହେବା ପୂର୍ବରୁ ମୂଲ ଲାଗୁଥିଲେ, ଆଉ ଏବେବି ଶ୍ରମିକମାନଙ୍କ ସହ ମିଶି କରୁଛନ୍ତି ସେହି କାମ