ଲିଙ୍ଗରାଜଙ୍କ ବାହୁଡା ଯାତ୍ରାରେ ଅଘଟଣ, ନୀତି ଛାଡି ଦୌଡିଲେ ସେବାୟତ

ଭୁବନେଶ୍ୱର : ମାଉସୀଘର ତଥା ପ୍ରଭୁ ରାମେଶ୍ବରଙ୍କ ମନ୍ଦିରରେ ୫ ଦିନର ରହଣି ପରେ ଗତକାଲି ପ୍ରଭୁ ଶ୍ରୀଲିଙ୍ଗରାଜ ବାହୁଡ଼ାଯାତ୍ରାରେ ବାହାରିଥିଲେ । ବିଧି ବିଧାନ ଅନୁସାରେ ମାଉସୀଘରୁ ମେଲାଣି ନେବା ପରେ ରଥଦାଣ୍ଡରେ ଅପେକ୍ଷା କରିଥିବା ଅଣଲେଉଟା ରୁକୁଣା ରଥ ତିନି ଠାକୁର ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଉଣୀ ରୁକ୍ମିଣୀଙ୍କୁ ନେଇ ଲିଙ୍ଗରାଜମନ୍ଦିର ଅଭିମୁଖେ ଆସିଥିଲେ । ମାତ୍ର ଲିଙ୍ଗରାଜଙ୍କ ରୁକୁଣା ରଥ ବାହୁଡ଼ାଯାତ୍ରାରେ ଘଟିଛି ବଡ଼ ଅଘଟଣ । ବାହୁଡ଼ା ଯାତ୍ରାରେ ବାଘୁଆ ମହୁମାଛିଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ରାମେଶ୍ୱର ମନ୍ଦିରରେ ବାହୁଡ଼ା ନୀତି ପାଇଁ ସେବାୟତ ପ୍ରସ୍ତୁତ ହେଉଥିବାବେଳେ ପରିସରରେ ଥିବା ଓସ୍ତଗଛ ମହୁ ଫେଣାକୁ କେହି ଟେକା ମାରି ଦେଇଥିଲା ।

ଯାହାଫଳରେ ହଜାର ହଜାର ସଂଖ୍ୟାରେ ମହୁମାଛି ଫେଣାରୁ ବାହାରି ଆସିଥିଲେ । ସେଠାରେ ଉପସ୍ଥିତ ଲୋକଙ୍କୁ ଦଂଶନ କରିଥିଲେ । ମହୁମାଛିଙ୍କ ଆକ୍ରମଣକୁ ବଞ୍ଚିବା ପାଇଁ ସେବାୟତମାନେ ଠାକୁରଙ୍କ ନୀତିକୁ ଅଧାରେ ଛାଡ଼ି ପ୍ରାଣ ବିକଳରେ ଯିଏ ଯେଉଁଆଡେ ପାଇଲେ ଦୌଡ଼ିଥିଲେ । ଡ୍ୟୁଟିରେ ଥିବା ପୋଲିସ ଓ ଭକ୍ତ ମାନେ ସମସ୍ତେ ମହୁମାଛି ଡଙ୍କର ଶିକାର ହୋଇଥିଲେ । ମହୁମାଛି ଭୟରେ ମାତ୍ର ୫ ମିନିଟରେ ମନ୍ଦିର ବେଢ଼ା ଶୂନ୍ୟ ହୋଇଯାଇଥିଲା । ମହୁମାଛିଙ୍କ ଆତଙ୍କ ପାଇଁ ବାହୁଡ଼ା ନୀତିରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ନୀତିରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇଥିଲା । ଅନ୍ୟପଟେ ମହୁମାଛି ଆକ୍ରମଣରେ ୫୦ରୁ ଅଧିକ ଜଣ ଆୟତ ହୋଇଛନ୍ତି ।

 

ଆହୁରି ପଢ଼ନ୍ତୁ : ନୂଆ ରୂପ ପାଇବ ଲିଙ୍ଗରାଜ ଟେମ୍ପଲ୍‌ ରୋଡ୍ ରେଳ ଷ୍ଟେସନ, ୧୯.୫୩ କୋଟି ଟଙ୍କାର ବ୍ୟୟ ଅଟକଳ