ଦିବ୍ୟାଙ୍ଗ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ମିନତୀ

ଉଦଳା: ଦୁଇଟି ପାଦ ସମ୍ପୂର୍ଣ୍ଣ ବଙ୍କା । ଜନ୍ମ ରୁ ସେ ଦିବ୍ୟାଙ୍ଗ । ଯେଉଁଥିପାଇଁ ସେ ଠିକ୍ ଭାବେ ଚାଲି ପାରନ୍ତି ନାହିଁ । ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ କେବେ ବି ନିଜକୁ ଦିବ୍ୟାଙ୍ଗ ନଭାବି ସକ୍ଷମ ଭଳି କାମ କରୁଛନ୍ତି । ଯାହାକି ଅନ୍ୟ ଉପରେ ବୋଝ ନହୋଇ ଏ ସାମାଜ ପାଇଁ ସାଜିଛନ୍ତି ଉଦାହରଣ । ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ସୋନପୋଖରି ଗାଁର ମିନତୀ ହାଁସଦାଙ୍କ କଥା । ଆଦିବାସୀ ପରିବାରରେ ଜନ୍ମ ମିନତୀ । ଜଣେ ଶାନ୍ତ ଓ ସରଳ ବିଶ୍ବାସର ମହିଳା । ମିନତୀ ଜନ୍ମରୁ ଦିବ୍ୟାଙ୍ଗ । ହେଲେ ମନରେ ତାଙ୍କର ଅସୀମ ସାହସ ଓ ଧୈର୍ଯ୍ୟ । ପଢିବାର ଇଛା ଥିଲେ ମଧ୍ୟ ଗରୀବି ତାଙ୍କର ପଢ଼ା ପାଇଁ ବାଧକ ସାଜିଥିଲା ।ହେଲେ କିଛି କରି ଦେଖାଇବା ସହ ଏବେ ପରିବାର ପ୍ରତିପୋଷଣ କରି ପାରୁଛନ୍ତି । ତେବେ ନିଜର ଦୃଢ଼ ଇଛାଶକ୍ତି ତାଙ୍କୁ ଏ ସାମାଜ ପାଇଁ ଦେଉଛି ଭିନ୍ନ ପରିଚୟ ।

ମିନତୀଙ୍କ ସ୍ଵାମୀ ତାଙ୍କୁ ଛାଡ଼ି ଅନ୍ୟତ୍ର ଚାଲି ଯାଇଥିବା ବେଳେ ସେ ଏବେ ତିନି ବର୍ଷର ଝିଅ ସହ ଜୀବନ କାଟୁଛନ୍ତି । କିନ୍ତୁ ଜୀବନ ସଂଗ୍ରାମ ରେ ହାରି ନ ଯାଇ ସିଲେଇ କାମ କରି ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । କେବେବି ସେ ନିଜକୁ ଦିବ୍ୟଙ୍ଗ ନ ଭାବି ପରିସ୍ଥିତିର ପ୍ରତିକୂଳରେ ନିଜକୁ ଦୃଢତାର ସହ ମୁକାବିଲା କରି ଚାଲିଛନ୍ତି ।ତାଙ୍କର ଏହି ଉଦ୍ୟମ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ସାଜିଛି ।

ଯେତେବେଳେ ମିନତୀଙ୍କ ସ୍ଵାମୀ ତାଙ୍କୁ ହାତ ଛାଡ଼ି ଚାଲିଗଲେ ସେତେବେଳେ ବଞ୍ଚିବା ପାଇଁ ନିଜେ କିଛି କାମ କରିବାକୁ ଚାହିଁଲେ । ତେବେ ଉଦଳା ରେ ଥିବା ଏକ ହସ୍ତତନ୍ତ ରେ ପ୍ରଶିକ୍ଷଣ ନେଇ ସେଠାରେ ଲୁଗା ଓ ବ୍ୟାଗ୍ ତିଆରି କରିବା ସହ ଘରେ ମଧ୍ୟ କାମ କରି କିଛି ଟଙ୍କା ରୋଜଗାର କରୁଛନ୍ତି ।ସବୁଦିନ ସାଇକେଲରେ ୧୨ କିଲୋମିଟର ଯାଇଥାନ୍ତି କାମ କରିବାକୁ । ନିଜ ଉଦ୍ୟମ ବଳରେ ସେ ରୋଜଗାର କରି ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରର ମଧ୍ୟ ସାହା ହୋଇ ପାରିଛନ୍ତି ।କାହାରି ଉପରେ ନିର୍ଭର କରୁ ନଥିବା ଦିବ୍ୟାଙ୍ଗ ମିନତୀ ଆଜି ଆତ୍ମନିର୍ଭରଶୀଳ ହୋଇଥିବା ବେଳେ ଅନ୍ୟ ଦିବ୍ୟାଙ୍ଗ ମାନେ ମଧ୍ଯ କିଛି କରିପାରିଲେ ସେମାନେ ମଧ୍ୟ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି କହିଛନ୍ତି ।