ନିଜ ଭିଟାମାଟିର ସୁରକ୍ଷା ପାଇଁ ସବୁବେଳେ ପ୍ରସ୍ତୁତ ବେଙ୍ଗ ମା’, ବୟସର ଅପରାହ୍ନରେ ଲଗାଉଛନ୍ତି ଗଛ

କୋଣାର୍କ: ସାମୁଦ୍ରିକ ଜୁଆର ଓ ବାତ୍ୟା ପବନ ଦାଉରୁ ଭିଟାମାଟିକୁ ରକ୍ଷା ଦେବା ପାଇଁ ଆଗଭର ଜଣେ ବୁଢ଼ୀ ମାଉସୀ । ବୟସର ଅପରାହ୍ନରେ ନିଜ ଗାଁ ଆଗରେ ବାଡ଼କୁ ନୂଆ ରୂପ ଦେଇଛନ୍ତି । ଧନ ଜୀବନ ସହିତ ଆଗାମୀ ପିଢ଼ିକୁ ରକ୍ଷା କରିବା ପାଇଁ ୨୫ ବର୍ଷ ହେଲା ନିରନ୍ତର ବୃକ୍ଷ ଲଗାଇବା ସହିତ ତାର ଯତ୍ନରେ ଲାଗିପଡ଼ନ୍ତି ସବୁବେଳେ । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବେଙ୍ଗ ମା’ ବା ବେଙ୍ଗଲତା ରାଉତ । ଘର ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଶିଶୁଅ ପଞ୍ଚାୟତର ତଣ୍ଡାହାର ଗାଁ । ଏହି ଅଞ୍ଚଳରେ ସେ ବେଙ୍ଗ ମା’ ନାଁରେ ବେଶ୍ ପରିଚିତ । ସମୁଦ୍ର କୂଳରୁ ମାତ୍ର ୫୦ ମିଟର ଦୂରରେ ଅବସ୍ଥିତ ଏହି ଗାଁର ଲୋକଙ୍କ ଜୀବିକା କହିଲେ ଧାନ, ପାନ ଓ ମୀନ । ହେଲେ ୧୯୯୯ ମସିହାରେ ହୋଇଥିବା ସାମୁଦ୍ରିକ ମହାବାତ୍ୟାର ଲୁଣା ପବନ ଓ ଜୁଆର ବାଲିରୁ ସୁରକ୍ଷା ଦେଉଥିବା ଜଙ୍ଗଲକୁ ସମ୍ପୂର୍ଣ୍ଣ ଭାବେ ଉଜାଡି ଦେଇଥିଲା । ହେଲେ ଗାଁ ଲୋକଙ୍କୁ ଏହି ଦୁର୍ଦିନରୁ ମୁକ୍ତି ଦେବା ପାଇଁ ଶପଥ ନେଇ ଆଗକୁ ଆଗେଇ ଆସିଥିଲେ ବେଙ୍ଗ ମା’ । ସେଦିନ ରୁ ହିଁ ସେ ବୁଝିପାରିଥିଲେ ଯେ କେବଳ ବୃକ୍ଷ ହିଁ ସାମୁଦ୍ରିକ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ତାଙ୍କ ଗାଁକୁ ସୁରକ୍ଷା ଦେଇପାରିବ ।
ଗାଁ ଚତୁଃପାର୍ଶ୍ବରେ ସୁରକ୍ଷା ବଳୟ ସୃଷ୍ଟି କରିବା ପାଇଁ ଗାଁ ଲୋକଙ୍କୁ ବୁଝାଇଥିଲେ । ଗାଁର ମହିଳାମାନଙ୍କୁ ଏକତ୍ରିତ କରି ବ୍ୟାପକ ଅଞ୍ଚଳରେ ବୃକ୍ଷ ରୋପଣ ଆରମ୍ଭ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ସମୁଦ୍ର କୂଳରେ ଓ ଗାଁ ନିକଟରେ ହଜାର ହଜାର ଝାଉଁ ଗଛ ଲଗାଇଥିଲେ । ସାମୁଦ୍ରିକ ଜୁଆର ପ୍ରଭାବରେ ସମୁଦ୍ର କୂଳରେ ଥିବା କିଛି ଗଛ ନଷ୍ଟ ହୋଇଯାଇଥିଲେ ମଧ୍ୟ ୨୫ ବର୍ଷ ମଧ୍ୟରେ ଦୁଇଟି ବଡ଼ ବଡ଼ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି ବେଙ୍ଗ ମା’ । ତାଙ୍କ ଉଦ୍ୟମରେ ସମୁଦ୍ର କୂଳରେ ହୋଇଥିବା କଂସେଇ ନଟା, କିଆ ବଣ ଓ ଝାଉଁ ଜଙ୍ଗଲ ଯୋଗୁଁ ଉପକୂଳର ତଣ୍ଡାହାର, କଟକଣା, କଳମକଣୀ ଆଦି ତିନୋଟି ଗାଁକୁ ଏବେ ସାମୁଦ୍ରିକ ଲୁଣା ପବନ ଓ ଜୁଆରର ପ୍ରଭାବ କମ୍ ପଡ଼ୁଛି । ଯାହାଦ୍ୱାରା ତିନୋଟି ଗାଁ ଲୋକଙ୍କର ବସବାସ ସ୍ବାଭାବିକ ହୋଇଛି ।
ଭବିଷ୍ୟତ ପିଢ଼ିର ସୁରକ୍ଷା ପାଇଁ ବେଙ୍ଗ ମା’ ଗାଁ ମହିଳାମାନଙ୍କୁ ନେଇ ଦୀର୍ଘ ୨୫ ବର୍ଷ ହେଲା ଏହି ଉପକୂଳରେ ବୃକ୍ଷରୋପଣ କରିବା ସହ ବୃକ୍ଷରାଜିର ସୁରକ୍ଷା ପାଇଁ ନିରବଚ୍ଛିନ୍ନ ଭାବେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ବୃକ୍ଷର ସୁରକ୍ଷା ପାଇଁ ସେ ସେନାପତି ସାଜିଥିବା ବେଳେ ଗାଁର ଅନ୍ୟ ମହିଳାମାନେ ଯେମିତି ଜଣେ ଜଣେ ସବୁଜ ସୈନିକ ପାଲଟିଛନ୍ତି ।
ବେଙ୍ଗ ମା’ଙ୍କ ଏହି ଉଦ୍ୟମ ପାଇଁ ସେ ବେଶ୍ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ନିଜ ଗାଁକୁ ସାମୁଦ୍ରିକ ଜୁଆର ଓ ଲୁଣା ପବନ ଦାଉରୁ ସୁରକ୍ଷା ଦେବା ପାଇଁ ବେଙ୍ଗଲତାଙ୍କ ଉଦ୍ୟମ ତାଙ୍କୁ ବେଙ୍ଗ ମା’ର ପରିଚୟ ଦେଇଛି । ଏଭଳି କାର୍ଯ୍ୟ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ବେଙ୍ଗ ମା’ ।
Also Read: ମଉସାଙ୍କୁ ୮୫ ବର୍ଷ ହାତରେ ରହିଛି ୬୦ ବର୍ଷର ରେଡିଓ, ବୟସର ଅପରାହ୍ନରେ ରେଡିଓ ପ୍ରେମରେ ଦାସ ମଲ୍ଲିକ