ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଭଦ୍ରକ ପୁରୁଣା ବଜାର ଥାନା ଅଞ୍ଚଳ, ଅନିର୍ଦ୍ଦିଷ୍ଟ କାଳ ଯାଏ ୧୬୩ ଧାରା ଜାରି

ଭଦ୍ରକ: ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଭଦ୍ରକ ପୁରୁଣା ବଜାର ଥାନା ଅଞ୍ଚଳ । ଅନିର୍ଦ୍ଧିଷ୍ଟ କାଳ ଯାଏ ୧୬୩ ଧାରା ଜାରି ଥିବା ବେଳେ ମୁତୟନ ଅଛନ୍ତି ୧୦ ପ୍ଲାଟୁନ ପୋଲିସ ଫୋର୍ସ । ସମ୍ବେଦନଶୀଳ ଅଞ୍ଚଳରେ ଅସ୍ଥାୟୀ ପୋଲିସ ପୋଷ୍ଟ ହୋଇଛି । ଦିନ ବେଳା ପାଟ୍ରୋଲିଂକୁ କଡାକଡି କରାଯାଇଛି । ୪ ଜଣରୁ ଅଧିକ ଲୋକଙ୍କୁ ଗୋଟିଏ ସ୍ଥାନରେ ରହିବାକୁ ଦିଆଯାଉନାହିଁ । ଧାମନଗରରେ ବି ଦୋକାନ ବଜାର ବନ୍ଦ । ଧାମନଗର NAC, ଦୋବଲ ଓ ଆଖପାଖ ଅଞ୍ଚଳରେ ୧୬୩ ଧାରା ବଳବତ୍ତର । ୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଏପଟେ ଭଦ୍ରକ ସହରରେ ଦୋକାନ ବଜାର ଖୋଲା ଅଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡ଼ି ଆଉ ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ପୋଲିସ ପାଟ୍ରୋଲିଂ ଜାରି ରହିଛି । ଏପଟେ ପୋଲିସ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ ୯ ଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି । ୪୮ ଘଣ୍ଟା ପାଇଁ ପୂରା ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ।
ସେପଟେ ଭଦ୍ରକରେ ଅଶାନ୍ତି ଘଟଣାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ସ୍ଥିତି ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ । ଉପସ୍ଥିତ ଥିଲେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏବଂ ଏସପି ବରୁଣ ଗୁଣ୍ଟୁପାଲି । ଅଶାନ୍ତି ସୃଷ୍ଟି କରିବାକୁ ଦିଆଯିବ ନାହିଁ । ଅସାମାଜିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଭଦ୍ରକ ସହରରେ ୧୨ ପ୍ଲାଟୁନ ଓ ଧାମନଗରରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ଦୁଇ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୃତୟନ ହେବେ ।