ଭୁବନେଶ୍ୱର: ଆଉ ମନ ଇଚ୍ଛା ଲୁଚି ଛପି ବିକିପାରିବେନି ଭାଙ୍ଗ । ଏଥର ଯିବାକୁ ପଡିବ ଜେଲ୍ । ଏଣିକି ନିଶାଦ୍ରବ୍ୟ ତାଲିକାରେ ଗଣାହେବ ଭାଙ୍ଗ । ଭାଙ୍ଗକୁ ମାଦକ ଦ୍ରବ୍ୟ ଘୋଷିତ । ରାଜ୍ୟରେ ଭାଙ୍ଗକୁ ମାଦକ ଦ୍ରବ୍ୟ ଘୋଷଣା କଲା ଅବକାରୀ ବିଭାଗ । ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାଙ୍ଗକୁ ଖାଦ୍ୟ ଓ ପାନୀୟରେ ମିଶାଇ ଏକ ମନଉତ୍ତେଜକ ଦ୍ରବ୍ୟ ଭାବେ ବ୍ୟବହାର କରାଯାଏ । ଏହା ଫଳରେ ବିଶୃଙ୍ଖଳା, ଶତ୍ରୁତା, ବିକୃତି, ମତିଭ୍ରମ ଏବଂ ଚିନ୍ତା ଶକ୍ତି ହରାଇବାର ଆଦି ଦେଖାଯାଇଥାଏ ।
ଭାଙ୍ଗର ବେଆଇନ୍ କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବକାରୀ ବିଭାଗ ପକ୍ଷରୁ ପ୍ରକାଶିତଶି ବିଜ୍ଞପ୍ତି ଅନୁସାରେ, ଭାରତରେ ଚାଷ ହେଉଥିବା ଥିବା ଗଞ୍ଜେଇ ଗଛ ପତ୍ରରୁ ଭାଙ୍ଗ ପ୍ରସ୍ତୁତ ହେଉଛି । ଅଧିକ ଭାଙ୍ଗ ସେବନ ଦ୍ୱାରା ମାନସିକ ସ୍ଥିତିରେ କୁପ୍ରଭାବ ପଡିଥାଏ ।
ତେଣୁ ଆଇନରେ ଥିବା ନିୟମ ଅନୁସାରେ ଏବଂ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି । ଓଡ଼ିଶା ଅବକାରୀ ଆଇନ ୨୦୦୮ ତଥା ୨୦୧୩ର ଓଡିଶା ଆଇନ ୧୦ର ଧାରା ୨ ଦ୍ୱାରା ଏହା ଏକ ମାଦକ ଦ୍ରବ୍ୟ ବୋଲି ଘୋଷଣା ହୋଇଛି ।
ଭାଙ୍ଗ ଏଭଳି ଏକ ନିଶା ଦ୍ରବ୍ୟ, ଯାହାକୁ ଧୂମପାନ, ଚୋବାଇ ଖାଇବା ସହ ବିଭିନ୍ନ ପଣା ଆଦିରେ ମିଶାଇ ବ୍ୟବହାର କରାଯାଇଥାଏ । ତେବେ ପୁରାଣ ଯୁଗରୁ ଭାଙ୍ଗର ପ୍ରଚଳନ ଭାରତରେ ରହି ଆସିଛି । ସାଧୁ ମାନେ ଏହାର ଉତ୍ତେଜକ ଗୁଣକୁ ବ୍ୟବହାର କରି ଭଗବାନଙ୍କ ସାନ୍ନିଧ୍ୟ ପାଇବା ନିମନ୍ତେ ଅଧିକରୁ ଅଧିକ ସମୟ ଧ୍ୟାନରତ ରୁହନ୍ତି ।
ଏପଟେ ଭାଙ୍ଗକୁ ଖାଇବା ପରେ ବ୍ୟକ୍ତି ଯେଉଁ ଖୁସି ଅନୁଭବ କରିଥାନ୍ତି ତାହାର କାରଣ ହେଉଛି ହାପି ହର୍ମୋନ୍ । ଏହା ଶରୀରରେ ପହଞ୍ଚି ଡୋପାମାଇନ୍ ହର୍ମୋନ୍ ନିର୍ଗତ କରିଥାଏ । ଏହାକୁ ହାପି ହର୍ମୋନ୍ କୁହାଯାଏ । ଏହା ଆମ ମୁଡ୍ କୁ ନିୟନ୍ତ୍ରଣ କରିଥାଏ । ଯାହାଫଳରେ ଲୋକମାନେ ସେହି ସୁଖକୁ ବାରମ୍ବାର ପାଇବା ପାଇଁ ନିଶାଗ୍ରସ୍ତ ହେବା ଆରମ୍ଭ କରିଦିଅନ୍ତି । ଏହି ଅଭ୍ୟାସ ଦ୍ୱାରା ଶରୀର ଖରାପ ହେବା ସହ ବିପଦକୁ ବଢିଥାଏ ।
ତେବେ ସରକାରଙ୍କର ଏଭଳି ଏକ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଭାଙ୍ଗର ଯେଉଁ କୁପ୍ରଭାବ ସମାଜ ଉପରେ ପଡୁଛି ତାହା ସମସ୍ତଙ୍କୁ ଜଣାଅଛି । ଯଦି ଭାଙ୍ଗକୁ ନିଶାଦ୍ରବ୍ୟ ଭାବେ ଗ୍ରହଣ କରାଯିବ ତେବେ ଏହାର ଖୁଲମ ଖୁଲ ବିକ୍ରି ଓ ବ୍ୟବହାର ଉପରେ କିଛିଟା ଅଙ୍କୁଶ ଲାଗିବାରେ ସହାୟକ ହେବ ।