ଭଞ୍ଜନଗର: ଆକ୍ସନ୍ ମୁଡ୍ ରେ ନଥିଲେ, ତଥାପି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଲେ । ପାଠପଢି ଭଲ ମଣିଷ ହେବା ସହ ଦେଶ ଓ ଜାତିର ସୁନାମ ରଖିବାକୁ ଏବଂ ହେଉଥିବା ଅସୁବିଧାର ମୁକାବିଲା ପାଇଁ, ମୁହଁ ଖୋଲି ସାହାସ ଜୁଟାଇ କହିବାକୁ ଛାତ୍ରୀଙ୍କୁ ପରାମର୍ଶ ଦେଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ଭାରତର ରାଷ୍ଟ୍ରପତିଙ୍କ ସଫଳତାର କାହାଣୀ କହି ଉଦାହରଣ ଦେଲେ । ଆମେ କହୁଛୁ , ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ କଥା । ନିଜ ନିର୍ବାଚନ ମଣ୍ଡଳୀର ରୁଢାପଦର ଗ୍ରାମ ସ୍ଥିତ ଅନୁସୂଚିତ ଜନଜାତି ଛାତ୍ରୀ ନିବାସର ଅନ୍ତେବାସୀଙ୍କୁ ଏଭଳି କିଛି ନୀତିଶିକ୍ଷା ଦେଇ ସେ ଆଜି ଚର୍ଚ୍ଚାରେ ।
ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭୁବନେଶ୍ଵରରୁ ନିଜ ନିର୍ବାଚନ ମଣ୍ଡଳୀକୁ ଫେରିବା ରାସ୍ତାରେ, ସୀମାନ୍ତ ଅଞ୍ଚଳ କୁହାଯାଉଥିବା ରୁଢାପଦର ସ୍ଥିତ ଅନୁସୂଚିତ ଜନଜାତି ଛାତ୍ରୀ ନିବାସ ନିକଟରେ ହଠାତ୍ ଅଟକି ଯାଇଥିଲେ । ଅଚାନକ ଛାତ୍ରୀ ନିବାସ ପରିଦର୍ଶନ କରିଥିଲେ ।
ଶହେ ଶଯ୍ୟା ବିଶିଷ୍ଟ ଏହି ଛାତ୍ରୀ ନିବାସର ଅନ୍ତେବାସୀଙ୍କୁ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଖାଦ୍ୟପେୟ ଠାରୁ ଆରମ୍ଭ କରି ସେମାନଙ୍କ ରହିବା ଏବଂ ସୁରକ୍ଷା ବିଷୟ ପଚାରିଥିଲେ । ଏହା ଭିତରେ ଛାତ୍ରୀ ନିବାସ ପରିସରରେ ପିଇବା ପାଣିର ସମସ୍ୟା ରହିଥିବା ଜାଣିବାକୁ ପାଇଥିଲେ ବିଧାୟକ ।
ଘଟଣାସ୍ଥଳରୁ ହିଁ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କରି ଗୋଟିଏ ଦିନ ମଧ୍ୟରେ ପିଇବା ପାଣିର ସୁବିଧା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦେଶର ରାଷ୍ଟ୍ରପତି ଦ୍ରୈ।ପଦୀ ମୁର୍ମୁ ଆଦିବାସୀ ସଂପ୍ରଦାୟର । ଏଣୁ ଦେଶ ଓ ରାଜ୍ୟ ସବୁବେଳେ, ଆଦିବାସୀ ଛାତ୍ରଛାତ୍ରୀଙ୍କ ଉନ୍ନତି ଚାହେଁ ବୋଲି, ବିଧାୟକ ଶ୍ରୀ ନାୟକ କହିଥିଲେ । ତେବେ ବିଧାୟକଙ୍କ ଏହି ଗସ୍ତ ଏବଂ ପଚରା ଉଚରାରୁ ଗୋଟିଏ କଥା ସ୍ପଷ୍ଟ ବାରି ହେଉଥିଲା, କୈାଣସି ସମସ୍ୟା ପ୍ରତି ଆକ୍ସନ୍ ମୁଡ୍ ହେବା ଅପେକ୍ଷା, ପରିସ୍ଥିତିର ସରଳ ସମାଧାନ ହିଁ ଏକମାତ୍ର ମାଧ୍ୟମ ।