ବାସହୀନଙ୍କୁ ପକ୍କାଘର ଦେଇ ଚର୍ଚ୍ଚାରେ ବିଞ୍ଝାରପୁରର ଭରତ, ଗରିବଙ୍କ ମୁହଁରେ ଫୁଟାଉଛନ୍ତି ହସ

ମାନବ ସେବା ହିଁ ମାଧବ ସେବା । ଏହି ଅର୍ଥକୁ ପ୍ରକୃତ କାର୍ଯ୍ୟରେ କରି ଦେଖାଇଛନ୍ତି ଭରତ ବାଇ । ଗୋପବନ୍ଧୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବାସହୀନଙ୍କୁ ଯୋଗାଇ ଦେଉଛନ୍ତି ଆବାସ । ନିଜେ ଭଡ଼ା ଘରେ ରହି ବାସହୀନ ଲୋକଙ୍କ ପାଇଁ ତିଆରି କରୁଛନ୍ତି ପକ୍କାଘର । ଗୋଟିଏ କି ଦୁଇଟି ନୁହଁ ଆଜି ପର୍ଯ୍ୟନ୍ତ ୨୮ ଗୋଟି ଗରିବ ପରିବାରଙ୍କ ପାଇଁ ନିର୍ମାଣ କରିସାରିଲେଣି ଘର । ପ୍ରତି ଘର ପାଇଁ ଖର୍ଚ୍ଚ କରୁଛନ୍ତି ପାଖାପାଖି ଏକ ଲକ୍ଷ ଟଙ୍କା । ସବୁଠୁ ବଡ କଥା ହେଲା ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟ ପାଇଁ କାହାରି ଠାରୁ ସେ ଟଙ୍କାଟିଏ ବି ଗ୍ରହଣ କରିନାହାନ୍ତି । ବରଂ ଅନେକ ଗରିବ ପରିବାରଙ୍କ ମୁହଁରେ ହସ ଫୁଟାଉଛନ୍ତି ଭରତ ।
ଭରତ ବାଇଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଆଉଁରୀ ପଂଚାୟତର ଡିହକୂଳା ଗାଁରେ । ପେଶାରେ ସେ ଜଣେ ବ୍ୟବସାୟୀ ହୋଇଥିବା ବେଳେ ରାଉଲକେଲାରେ ତାଙ୍କର ଏକ ଲୁଗା ଦୋକାନ ଅଛି । ପିଲାଟି ଦିନରୁ କାହାର ଦୁଃଖ କଷ୍ଟ ସହି ପାରୁନଥିଲେ ଭରତ । ଛୋଟ ଥିବା ବେଳେ ବାପାଙ୍କ ଠାରୁ ପଇସା ମାଗି ନେଇ ଅସୁବିଧାରେ ଥିବା ଲୋକଙ୍କୁ ଭରତ ସାହାଯ୍ୟ କରନ୍ତି । ବନ୍ୟା ବାତ୍ୟା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟସ୍ତ ସମୟରେ ସେ ଅସୁବିଧାରେ ଥିବା ଲୋକମାନଙ୍କ ପାଖରେ ପହଁଚି ଯାଆନ୍ତି । ଆଉ ସେହି ନିଶା ଆଜି ତାଙ୍କୁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଆଉ ସେ ଏବେ ଲୋକଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଆଜି ପର୍ଯ୍ୟନ୍ତ ସେ ଅନେକ ବାସହୀନ ପରିବାରଙ୍କ ପାଇଁ ନିଜ ଉପାର୍ଜନ ଅର୍ଥରେ ଘର ନିର୍ମାଣ କରିସାରିଲେଣି । ବାସହୀନଙ୍କୁ ପକ୍କାଘର ଦେଇ ଏବେ ଚର୍ଚ୍ଚାରେ ବିଞ୍ଝାରପୁରର ଭରତ ବାଇ ।
ଅବହେଳିତ ଅସହାୟ ଗରିବ ଲୋକଙ୍କୁ ଘର ଯୋଗାଇ ଦେବା ଲକ୍ଷ୍ୟ ରଖି ଭରତ ନିଜ ଉପାର୍ଜିତ ଅର୍ଥରେ ଗଢି ଚାଲିଛନ୍ତି ଗୋଟିକ ପରେ ଗୋଟିଏ ପକ୍କାଘର । ଆଜି ପର୍ଯ୍ୟନ୍ତ ମୋଟ ୨୮ ଟି ପରିବାର ପାଇଁ ଘର ନିର୍ମାଣ କରିସାରିଲେଣି । ସେଥିମଧ୍ୟରୁ ଆଉଁରୀ ପଞ୍ଚାୟତର ଦାସିଆ ମଲ୍ଲିକ, ଏକାଦଶୀ ଜେନା ମାଟିଆକଣ ଗ୍ରାମର ବୀର ମଲ୍ଲିକ, କୁଆଁଲ ଗ୍ରାମର ରୋଗା ମଲ୍ଲିକ, ମିନତୀ ସାହୁ ବାଙ୍ଗରା ପଞ୍ଚାୟତର ରଙ୍ଗଲତା ପାଗଳ, ମମତା ଜେନା, ପ୍ରଫୁଲ୍ଲ ମଲ୍ଲିକ ଆଦି ଲୋକଙ୍କ ପାଇଁ ଘର ତିଆରି କରି ଦେଇଛନ୍ତି। ସେହିପରି ପଡୋଶୀ କେନ୍ଦ୍ରାପଡା ଜିଲ୍ଲାର ଅନୁସୟା ସେଠୀଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଚାରିଜଣ ପରିବାରକୁ ସେ ଘର କରିଦେଇଛନ୍ତି ।
ଆଗକୁ ଆହୁରି ମଧ୍ୟ ଏହି ଅଭିଯାନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସେ । ବଡ଼କଥା ହେଲା ସେ ନିର୍ମାଣ କରାଇଥିବା ଘର ସମ୍ମୁଖରେ ଲେଖାଯାଇଛି “NO NGO” “NO GOVT AID”। ସେ କେବେ ନିଜ ପାଇଁ ଘର କରିବାର ସ୍ବପ୍ନ ଦେଖି ନାହାନ୍ତି । କି ନିଜେ ଗାଡି ଚଢିବାକୁ ଲକ୍ଷ୍ୟ ରଖିନାହାନ୍ତି । କେବଳ ସାଇକେଲ ଖଣ୍ଡିଏ ଚଳାଉଥିବା ଭରତ ନିଜର ସମସ୍ତ ଉପାର୍ଜିତ ଅର୍ଥକୁ ଗରିବଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ନିର୍ମାଣ କରିବାରେ ବିନିଯୋଗ କରୁଛନ୍ତି । ଭରତ ବାଇଙ୍କ ଏଭଳି କାର୍ଯ୍ୟ ପାଇଁ ସମାଜରେ ସୃଷ୍ଟି ହୋଇଛି ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ । ସତେ ଯେମିତି ଆଜିର ଯୁଗରେ ଗରିବ ଓ ଅସହାୟଙ୍କ ପାଇଁ ସେ ସାଜିଛନ୍ତି ଜଣେ ଗୋପବନ୍ଧୁ ।
Also Read: ଯୋଗାଣ ବିଭାଗର ଏ କି ନିୟମ? ଅଯୋଗ୍ୟଙ୍କୁ ବାଦ୍ ଦେବାକୁ ଯାଇ ଗରିବଙ୍କ ପେଟରେ ଲାତ