ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲା, ବଢ଼ିଲା ତଦନ୍ତକାରୀ କମିଶନଙ୍କ କାର୍ଯ୍ୟକାଳ

ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ବଢ଼ିଲା ତଦନ୍ତକାରୀ କମିଶନଙ୍କ କାର୍ଯ୍ୟକାଳ । ୭୦ ଦିନ ବଢ଼ିଲା ଜଷ୍ଟିସ ଚିତ୍ତରଂଜନ ଦାସ କମିଶନଙ୍କ କାର୍ଯ୍ୟକାଳ । ଆସନ୍ତା ଜାନୁଆରୀ ୩୧ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପୂର୍ବରୁ ଜଷ୍ଟିସ ଚିତ୍ତରଂଜନ ଦାସଙ୍କ କାର୍ଯ୍ୟକାଳ ଆସନ୍ତା ୨୨ ତାରିଖରେ ସରିବାର ଥିଲା ।
ଏବେ କମିଶନଙ୍କ ତଦନ୍ତ ଜାରି ରହିଛି । ଜଷ୍ଟିସ ଚିତ୍ତରଂଜନ ଦାସ କମିଶନ ଗତ ୧୪ ତାରିଖରେ ପ୍ରଥମ ଶୁଣାଣି କରିଥିଲେ । ତଦନ୍ତ କମିଶନଙ୍କ ନିକଟରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀ ହାଜର ହୋଇଥିଲେ । ସେହିପରି ପୋଲିସ ଅଫିସର ଓ ମାଡ଼ ମାରିଥିବା ଯୁବକଙ୍କ ଓକିଲ କମିଶନଙ୍କ ପାଖରେ ହାଜର ହୋଇଥିଲେ ।
ଆସନ୍ତା ୩୦ ତାରିଖରେ ଉଭୟ ପକ୍ଷ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି । ଆସନ୍ତା ୧୯ ତାରିଖରେ କମିଶନ କରିବେ ସ୍ପଟ୍ ଭିଜିଟ । ୩୦ ତାରିଖରେ କମିଶନ ଦ୍ଵିତୀୟ ଶୁଣାଣି କରିବେ । ଏହାପୂର୍ବରୁ ଆଜି ଜଷ୍ଟିସ ଚିତ୍ତରଂଜନ ଦାସ କମିଶନଙ୍କ କାର୍ଯ୍ୟକାଳକୁ ଆସନ୍ତା ଜାନୁଆରୀ ୩୧ ତାରିଖ ଯାଏ ସରକାର ବୃଦ୍ଧି କରିଛନ୍ତି ।