ବିପଦରେ ଭାର୍ଗବୀ ନଦୀ ବନ୍ଧ, ଆତଙ୍କିତ ନଦୀ କୁଳିଆ ବାସୀ

ଚାଲିଛି ବର୍ଷା ଦିନ । ରାଜ୍ୟରେ ଦେଖା ଦେଇପାରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି । ବନ୍ୟାକୁ ନିୟନ୍ତ୍ରଣ କରିବା ସହିତ ଲୋକମାନଙ୍କ ଧନ ଜୀବନକୁ ରକ୍ଷା କରିବା ଜଳସମ୍ପଦ ବିଭାଗର ଗୁରୁ ଦାୟିତ୍ୱ । ତେବେ ଡ଼େଲାଙ୍ଗ ବ୍ଳକର ନୁଆହାଟ ଠାରେ ଦୟାନଦୀ ବନ୍ଧ ଦବିଯିବା ଫଳରେ ଲୋକମାନଙ୍କ ମନରେ ଏବେ ଭୟର ବାତାବରଣ ଦେଖା ଦେଇଛି । ନଦୀରେ ବନ୍ୟା ଅସିଲେ ନଦୀକୁଳିଆ ଲୋକମାନଙ୍କର ଦୁଃଖ ବଢିଯାଏ । ବନ୍ୟାର ପ୍ରଭାବ ଯେତେ ଜୋର ହେବ ସେମାନଙ୍କ ଚିନ୍ତା ସେତେ ଅଧିକ ବଢିବ ।

ହିରାକୁଦ ଡ଼୍ୟାମର ବନ୍ୟା ଜଳ ଆଉ ଦିନେ ଦୁଇ ଦିନ ମଧ୍ୟରେ ପହଞ୍ଚିଯିବ । ନଦୀ ବନ୍ଧର ନିର୍ମାଣ କାର୍ଯ୍ୟକୁ ନେଇ ଏବେ ଚିନ୍ତାରେ ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକର ନଦୀକୁଳିଆବାସୀ । ତିରିମଲ ଠାରୁ ତ୍ରିଲୋଚନପୁର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପ୍ରବାହିତ ଦୟା ନଦୀ ବନ୍ଧର ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ରାଜ୍ୟ ସରାକରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ବନ୍ଧ ମରାମତି କାର୍ଯ୍ୟ ବିଭିନ୍ନ ଠିକା ସଂସ୍ଥା ଦ୍ୱାରା ଚାଲିଥିବାବେଳେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଡ଼େଲାଙ୍ଗ ବ୍ଳକର ନୁଆହାଟଠାରେ ବନ୍ଧ ଦବିଯାଇଛି ।

ଯାହାକୁ ନେଇ ଲୋକମାନଙ୍କ ମନରେ ଏବେ ଭୟର ବାତାବରଣ ଦେଖା ଦେଇଛି । ଦୟାନଦୀ ବନ୍ଧର ମରାମତି କାର୍ଯ୍ୟ ଚାଲିଥିବାବେଳେ ଏପର୍ଯ୍ୟନ୍ତ ଏହା ଶେଷ କରାଯାଇନାହିଁ । କାମ ବିଳମ୍ବ ହେବାରୁ ଦୁର୍ବଳ ସ୍ଥାନ ଗୁଡ଼ିକ ଦବିବାରେ ଲାଗିଛି । ଦୟା ନଦୀର ଦକ୍ଷିଣ ପାଶ୍ୱର୍ ବନ୍ଧ ଡ଼େଲାଙ୍ଗ ଜଳ ସେଚନ ବିଭାଗ ଅଧିନରେ ଯାଉଥିବାବେଳେ ବିଭାଗୀୟ ସହକାରୀ ଯନ୍ତ୍ରୀ କାମ ତଦାରଖ ନ କରିବାରୁ ଏହା ତଳକୁ ଦବି ଯାଇଥିଲା ।

ତେବେ ଏହି ନଦୀ ବନ୍ଧର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ନଦୀରୁ ବାଲି ସଂଗ୍ରହ କରାଯାଇ ନଦୀ ବନ୍ଧରେ ପ୍ୟାକିଙ୍ଗ କରାଯାଉଛି । ତେବେ ଯେଉଁ ସ୍ଥାନରେ ନିମ୍ନମାନର କାର୍ଯ୍ୟ କରାଯାଇଛି ସେ ସ୍ଥାନକୁ ପୁନର୍ବାର ସଠିକ୍ ଭାବରେ କରାଯିବ ବୋଲି ପୁରୀ ଅଧିକ୍ଷଣ ଯନ୍ତ୍ରୀ କହିଥିବାବେଳେ ଲୋକମାନେ ସହଯୋଗ କରିବା ଅନୁରୋଧ କରିଛନ୍ତି । ଚଳିତ ବର୍ଷ ବନ୍ୟାର ଆଶଙ୍କା ଥିବାରୁ ଦବିଯାଇଥିବା ଏହି ସ୍ଥାନର ମରାମତି ଉଚ୍ଚମାନର କରା ନଗଲେ ଘାଇ ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇପାରେ ।