ଅଗଷ୍ଟ ୧ରୁ ଖୋଲିବ ଭିତରକନିକା, ପ୍ରଥମ ଥର ପର୍ଯ୍ୟଟକଙ୍କ ପାଇଁ ହୋଇଛି ‘ସ୍କାଏ ଓ୍ଵାକ୍’

ରାଜନଗର : ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ପ୍ରଥମଥର ପାଇଁ ଭିତରକନିକା ଡ଼ାଙ୍ଗମାଳ ଠାରେ ନିର୍ମାଣ କରାଯାଇଛି ସ୍କାଏ ଓ୍ଵାକ୍ (SKY WALK) ଏହାର ଲମ୍ବ ୬୦୦ ମିଟର ଥିବାବେଳେ, ଉଚ୍ଚତା ୧୫ ଫୁଟ ରହିଛି । ଏହା ସଂପୂର୍ଣ୍ଣ କାଠରେ ନିର୍ମାଣ କରାଯାଇଛି । ପର୍ଯ୍ୟଟକମାନେ ଘଞ୍ଚ ଲୁଣା ଜଙ୍ଗଲ ଉପରେ ପାଦରେ ଚାଲି ଚାଲି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଏହା ସହ ସ୍କାଏ ଓ୍ଵାକ୍ ମଧ୍ୟରେ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଛି ଯାହା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରଖିଛି ବନବିଭାଗ ।
ତେବେ କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମଇ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ଧରି ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ । ଅଗଷ୍ଟ ୧ ତାରିଖରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ। ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ସେପଟେ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷ କୁମ୍ଭୀର ବସା ଗଣନା ଶେଷ ହୋଇଛି । ଚଳିତବର୍ଷ ୧୧୪ଟି ବସା ଚିହ୍ନଟ କରାଯାଇଛି । ଗତବର୍ଷ ୧୨୨ଟି ବସା ଚିହ୍ନଟ କରାଯାଇଥିଲା । ଗତବର୍ଷ ତୁଳନାରେ ୮ଟି ବସା କମିଛି । ଚଳିତବର୍ଷ କନିକା ରେଞ୍ଜରେ ୧୦୨ଟି, ରାଜନଗରରେ ୧୦ଟି , ଗହୀରମଥାରେ ୧ଟି, ମହାକାଳପଡ଼ାରେ ୧ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି ।