କେନ୍ଦ୍ରାପଡ଼ା: ବିବାଦ ଘେରରେ ଭିତରକନିକା ପେଣ୍ଠଠାରେ ହେଉଥିବା ଇକୋ ରିଟ୍ରିଟ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ବେଳା ଭୂମିରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଇକୋ ରିଟ୍ରିଟ୍ ନେଇ ବିବାଦ ଦେଖାଦେଇଛି । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଏହି ଇକୋ ରିଟ୍ରିଟ ହେଉଥିବାରୁ ବନ୍ୟଜନ୍ତୁଙ୍କ ସହ ସାମୁଦ୍ରିକ ଜୀବଙ୍କ ଉପରେ ଏହାର କୁପ୍ରଭାବ ପଡୁଥିବାରୁ ଇକୋ ରିଟ୍ରିଟକୁ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ପରିବେଶବିତ୍ ଆଳୟ ସାମନ୍ତରାୟ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ।
ଭିତରକନିକା ଜାତୀୟ ଭଦ୍ୟାନ ଏବଂ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଭିତରେ ଆସୁଥିବା ପେଣ୍ଠ ବେଳା ଭୂମିରେ ଆୟୋଜିତ ହେବାକୁ ଯାଉଛି ଚତୁର୍ଥ ବାର୍ଷିକ ଇକୋ ରିଟ୍ରିଟ୍ । ଡିସେମ୍ବର ପହିଲାରୁ ଆରମ୍ଭ ହୋଇ ୨୮ ଫେବୃୟାରୀ ୨୦୨୫ରେ ଶେଷ ହେବ ବୋଲି ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ପରି ହୋଇଛି । ତେବେ ଏହି କାର୍ଯ୍ୟକ୍ରମ ଦ୍ଵାରା ପରିବେଶ ପ୍ରଦୂଷଣ ସାଙ୍ଗକୁ ବନ୍ୟଜନ୍ତୁଙ୍କ ଜୀବନ ଉପରେ ପ୍ରଭାବ ପଢୁଛି । ଏଥିପାଇଁ ଇକୋ ରିଟ୍ରିଟ୍କୁ ବନ୍ଦ କରିବାକୁ ପରିବେଶବିତ୍ ଆଳୟ ସାମନ୍ତରାୟ ଗତ ୧୨ ତାରିଖରେ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅତିରିକ୍ତ ମହାନିର୍ଦ୍ଦେଶକ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ।
ପ୍ରତି ବର୍ଷ ନଭେମ୍ବରରୁ -ମେ’ ମାସ ପର୍ଯ୍ୟନ୍ତ ଏହି ପେଣ୍ଠ ବେଳା ଭୂମିକୁ ଅଲିଭ ରିଡଲେ କଇଁଛ ପ୍ରଜନନ ପାଇଁ ଆସନ୍ତି । ଏଥି ପାଇଁ ଏହି ୭ ମାସ ଗହିରମଥା ସମୁଦ୍ର ମଧ୍ୟକୁ ନଯିବା ପାଇଂ ମତ୍ସ୍ୟଜୀବୀମାନଙ୍କ ପାଇଁ କଟକଣା ଲାଗୁ କରିଛି ରାଜନଗର ବନବିଭାଗ । ତେବେ ଇକୋରିଟ୍ରିଟ୍ ହେବା ଦ୍ବାରା ହାଇ ଭୋଲ୍ଟେଜ ଲାଇଟ୍, ସାଉଣ୍ଡ ସାଙ୍ଗକୁ ଗହିରିମଥା ସମୂଦ୍ରରେ ପର୍ଯ୍ୟଟକଙ୍କୁ ବୋଟରେ ଭ୍ରମଣ କରାଇବା ବ୍ୟବସ୍ଥା, ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ୍ ପଲିଥିନ ବେଳା ଭୂମିରେ ପଡି ସମୁଦ୍ରରେ ମିସୁଥିବାରୁ ଅଲିଭ୍ ରିଡଲେ କଇଁଛ, ଡଲଫିନ୍ ଓ ଅନ୍ୟ ସାମୁଦ୍ରିକ ଜୀବଙ୍କର ଜୀବନ ପ୍ରତି ବିପଦ ଆଶଙ୍କା ରହିଛି । ତେଣୁ ପେଣ୍ଠ ଠାରେ ଇକୋ ରିଟ୍ରିଟକୁ ବନ୍ଦ କରି ଅନ୍ୟତ୍ର କରିବାକୁ ପରିବେଶବିତ ଆଳୟ ସାମନ୍ତରାୟ ଦାବି କରିଛନ୍ତି ।
ଅପରପକ୍ଷରେ ପେଣ୍ଠ ବେଳାଭୂମୀ ହେଉଛି ଭିତରକନିକା ଜାତୀୟ ଉଦ୍ୟାନର ଏକ ଅଂଶ । ଗହିରମଥା ସାମୂଦ୍ରିକ ଅଭୟାରଣ୍ୟ ଭିତରେ ମଧ୍ୟ ଏହି ଜାଗା ଆସୁଥିବାରୁ ଏଠାରେ ଇକୋରିଟ୍ରିଟ୍ ହେବା ବନ୍ୟପ୍ରାଣୀ ସୂରକ୍ଷା ଆଇନ୍ ୧୯୭୨କୁ ଉଲଂଘନ କରୁଛି । ଏନେଇ ଆମେ ରାଜନଗର ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେତେବେଳେ ଇକୋ ରିଟ୍ରିଟ ହେଉଛି ସେତେବେଳେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ଏହି କାର୍ଯ୍ୟକ୍ରମ କରାଯାଉଛି । ପରିବେଶ ସୁରକ୍ଷା ଦୃଷ୍ଟିରୁ ଇକୋ ରିଟ୍ରିଟକୁ ନେଇ ବିବାଦ ଦେଇଥିବା ବେଳେ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।