ଆଜିଠୁ କୁମ୍ଭୀର ଗଣନା, ୯ଦିନ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ରାଜନଗର: ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ । କୁମ୍ଭୀର ଗଣନା ପାଇଁ ଆଜିଠୁ ୨୨ ତାରିଖ ଯାଏ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ବୋଟ୍ ଚଳାଚଳ ବନ୍ଦ ରହିବା ପରେ ନଦୀ ଜଳ ସ୍ଥିର ହେବ। ଏହାପରେ କୁମ୍ଭୀର ଗଣନା ହେବ । କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀ କୁମ୍ଭୀର ଗଣନା କରିବେ। ସକାଳ ଓ ସନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟ ରେ କୁମ୍ଭୀର ଗଣନା କରାଯିବ ।
ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକ ଆସିବା ଉପରେ ବାରଣ କରାଯାଏ । ତେବେ ଚଳିତ ଥର ପ୍ରଥମ ଥର ପାଇଁ ଭିତରକନିକା ବାହାର ନଦୀ ନାଳରେ ମଧ୍ୟ କୁମ୍ଭୀର ଗଣନା କରାଯିବ । ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ। ଗତବର୍ଷ ଭିତରକନିକାରେ ୧୮ ୧୧ ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।
Also Read: ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା, ୧୪ରୁ ଭିତରକନିକା ବନ୍ଦ