ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ, ସୂଚନା ଦେଲେ ରାଜନଗର ବନବିଭାଗ

ରାଜନଗର : ଆସନ୍ତାକାଲିଠାରୁ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ।  କୁମ୍ଭୀର ଗଣନା ପାଇଁ ଜାନୁୟାରୀ ୧୪ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଭିତରକନିକା ବନ୍ଦ ରହୁଥିବାରୁ ଦେଶ ବିଦେଶର ପର୍ଯ୍ୟଟକ ମାନେ ଭିତରକନିକା ବୁଲି ନଆସିବା ପାଇଁ ରାଜନଗର ବନବିଭାଗ ସୂଚନା ଦେଇଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିବା ପରେ ନଦୀର ଜଳ ସ୍ଥିର ରହିବା ପରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ ।

ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନା ରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକ ଆସିବା ଉପରେ ବାରଣ କରାଯାଏ । ଭିତରକନିକାରେ ଥିବା ନଦୀ ନାଳ ସହ ଭିତରକନିକା କୁ ସଲଗ୍ନ ଥିବା ନଦୀ ନାଳ ମାନଙ୍କରେ ବଉଳା କୁମ୍ଭୀର ମାନଙ୍କ ର ଗଣନା କରାଯିବ ।  କୁମ୍ଭୀର ବିଶାରଦ ଡ଼ା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ କୁମ୍ଭୀର ଗଣନା କରିବେ ।

ରାଜନଗର ବନଖଣ୍ଡ ର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ। ଗତବର୍ଷ ଭିତରକନିକାରେ ୧୮ ୧୧ ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

You might also like