ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା, ୧୪ରୁ ଭିତରକନିକା ବନ୍ଦ

ରାଜନଗର : କାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ସାତକୋଶିଆ । ୬ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହେବାକୁ ଥିବାରୁ ଉଭୟ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସାତକୋଶିଆ ମନା ରହିଛି । ୬, ୭ ଏବଂ ୮ ତାରିଖ ୩ ଧରି ସାତକୋଶିଆରେ କୁମ୍ଭୀର ଗଣନା ହେବ । ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଏପରିକି ନଦୀରେ ମାଛ ଧରିବା ପାଇଁ ମଧ୍ୟ ବାରଣ କରାଯାଇଛି । ଗଣନା ପାଇଁ ବନ ବିଭାଗର ୧୪ ଟିମ୍ ରେ ମୋଟ ୭୦ଜଣ କର୍ମଚାରୀ ନିୟୋଜିତ ରହିବେ ।

ସେହିପରି ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକା । ପ୍ରଥମ କରି ଭିତରକନିକା ବାହାର ନଦୀନାଳରେ ମଧ୍ୟ ଗଣନା ହେବ ବୋଲି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି ।