ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ ଘଟଣା: କିଡନାପ ନୁହେଁ, ପ୍ରେମ ପାଇଁ ହୋଇଥିଲା ନାଟକ

ଭୁବନେଶ୍ୱର (କେନ୍ୟୁଜ ): ପ୍ରେମ ପାଇଁ ଅପହରଣ । କିଡନାପ ନାଟକର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ ।  ଅପହରଣ ନୁହେଁ, ପ୍ରେମ ପାଇଁ ହୋଇଥିଲା ନାଟକ। ସ୍ବାମୀ ଠାରୁ ଅଲଗା ହେବା ପରେ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଉଥିଲେ ମହିଳା । ଘରେ ବିରୋଧ ହେବାରୁ ନିଜେ ରଚିଥିଲେ ଅପହରଣ ନାଟକ । ଘଟଣାର ୨୪ ଘଣ୍ଟା ପରେ ନାଟକ ଉପରୁ ପରଦା ହଟାଇଲା ପୋଲିସ । ଏବେ ପୋଲିସ ହେପାଜତରେ ଉଭୟ ମହିଳା ଓ ପୁରୁଷ ବନ୍ଧୁ ।

ଗତକାଲି ଚନ୍ଦକା ଥାନା ଗୋଠପାଟଣା ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଅଭିଯୋଗ ହୋଇଥିଲା । ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କରିଥିଲେ ଅପହରଣକାରୀ । ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ ମହିଳାଙ୍କ ବାପା । ଏହାପରେ ଏକ ୬ ଜଣିଆ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମହିଳା ଜଣକ ବିବାହିତା ହୋଇଥିବାବେଳେ ତାଙ୍କ ସ୍ଵାମୀ ଆମେରିକାରେ ଚାକିରି କରୁଛନ୍ତି। ହେଲେ ଦୀର୍ଘ ୨ ବର୍ଷ ଧରି ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହୋଇ ବାପା ମାଆଙ୍କ ପାଖରେ ଏକ ଆପାର୍ଟମେଣ୍ଟରେ ରହିଆସୁଥିଲେ । ମହିଳା ଜଣକ ପ୍ରତିଦିନ ସତସଙ୍ଗ ବିହାର ଯାଉଥିଲେ ।