ମାଘରେ ୩୪ ଟପିଲା ଭୁବନେଶ୍ୱର ତାପମାତ୍ରା, ଆଗକୁ ହୋଇପାରେ ଅସମ୍ଭାଳ

ଭୁବନେଶ୍ୱର : ମାଘରେ ୩୪ ଟପିଲା ଭୁବନେଶ୍ୱର ତାପମାତ୍ରା  । ଦିନ ୨ଟା ସୁଦ୍ଧା ଭୁବନେଶ୍ୱର ପାରଦ ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି  । ପେବୃୟାରୀ ଆରମ୍ଭରୁ ତାତି ଅସମ୍ଭାଳ  ।  ଆଗକୁ କଣ ହେବ ଏଇଥିରୁ ଆଶଙ୍କା କରାଯାଇପାରେ  ।  ଏଥର ତାତି ଜୋର ହେବ ବୋଲି ଅସ୍ବୀକାର କରା ଯାଇନପାରେ  ।

କଲବଲ କଲାଣି ତାତି ।  ରାଜ୍ୟରେ ଧୀରେ ଧୀରେ ବଢୁଛି ପାରଦ ।  ଟାଇଁ ଟାଇଁ ଖରା ସହ ଅସ୍ୱାଭାବିକ ଗରମ ଅନୁଭୂତ ।  ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ ।

ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବଢିବ ।  ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସୋନପୁର, ନୂଆପଡା ଭଳି ଜିଲ୍ଲାରେ ମେଘମୁକ୍ତ ଆକାଶ ରହିବା ସହ ଦିନ ତାପମାତ୍ରା ୩୦ ରୁ ୩୪ ଡିଗ୍ରୀ ସେଲସିୟସ ମଧ୍ୟରେ ତାପମାତ୍ରା ରେକର୍ଡ ହେବ ।