ଭୁବନେଶ୍ବର କ୍ଲବ୍ ନିର୍ବାଚନ : ପ୍ରଦୀପ ବନାମ ଅସୀତ ଲଢ଼େଇକୁ ନେଇ ଜୋର ଚର୍ଚ୍ଚା, କାହାକୁ ଭାଛିବେ ଭୋଟର ପୁରୁଣା ନା ନୂଆ ?

ଭୁବନେଶ୍ବର : ମର୍ଯ୍ୟାଦାଜନକ ଭୁବନେଶ୍ବର କ୍ଲବର କର୍ମକର୍ତ୍ତା ନିର୍ବାଚନକୁ ନେଇ ରାଜଧାନୀରେ ଏବେ ସରଗରମ ଆଲୋଚନା । କାରଣ ସଭାପତି ପଦବି ପାଇଁ ପ୍ରାର୍ଥୀ ହୋଇଛନ୍ତି ଦୁଇ ବରିଷ୍ଠ ଆଇଏଏସ୍ ଅଫିସର ଅସୀତ ତ୍ରିପାଠୀ ଏବଂ ପ୍ରଦୀପ କୁମାର ଜେନା । ଦୁଇ ଜଣ ଯାକ ପୂର୍ବ ସରକାରରେ ମୁଖ୍ୟ ଶାସନ ସଚିବର ଦାୟିତ୍ବ ତୁଲାଇ ସାରିଛନ୍ତି ।

ବର୍ତ୍ତମାନ ସଭାପତି ଥିବା ଅସୀତ ତ୍ରିପାଠୀ ତାଙ୍କ କାର୍ଯ୍ୟକାଳ ଭିତରେ ଭୁବନେଶ୍ବର କ୍ଲବ ପାଇଁ କଣ କରିଛନ୍ତି ସେକଥା ସଦସ୍ୟମାନଙ୍କୁ ଜଣାଉଛନ୍ତି । ପୁଣି ଥରେ ସଭାପତି ପଦ ପାଇବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି । ଅନ୍ୟପଟେ ପ୍ରଦୀପ ଜେନା ଆଗକୁ କଣ କରିବେ, ଅସୀତଙ୍କ ସମୟରେ କଣ ହୋଇ ନାହିଁ ଏବଂ ଆବଶ୍ୟକତା ରହିଛି ଏସବୁ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢୁଛନ୍ତି । ପ୍ରଦୀପଙ୍କ ନାରା ହେଲା ‘ପରିବର୍ତ୍ତନ ପାଇଁ ଭୋଟ୍’ । ପ୍ରଦୀପ ଜେନା ଏବେ ଓଇଆରସିର ଚେୟାରମ୍ୟାନ୍ ଅଛନ୍ତି । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ଖ୍ୟାତି ରହିଛି ।

ପ୍ରଦୀପ ଜେନାଙ୍କ ପ୍ୟାନେଲରେ ଆଇପିଏସ୍ ଲଳିତ ଦାସ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପିଭି ମୋହନଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ରହିଛନ୍ତି । ଅନ୍ୟପକ୍ଷରେ ଦୁଇ ଦୁଇଥର ସଭାପତି ରହିବା ପରେ ୩ୟ ଥର ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଅସୀତ । ତାଙ୍କର ସ୍ଲୋଗାନ୍ ହେଉଛି ‘ବିକାଶ ଏକ ଯାତ୍ରା’ । ଅସୀତଙ୍କ ପ୍ୟାନେଲରେ ପ୍ରଗତି କୁମାର ମହାନ୍ତି, ଅନୀଲ କୁମାର ସାମଲ ଏବଂ ଡ. ଦେବବ୍ରତ ବିଶ୍ବାଳ, ସଞ୍ଜୟ ଲାଠ ପ୍ରମୁଖ ରହିଛନ୍ତି ।

ଆସନ୍ତା ୨୦ ତାରିଖରେ ସଦସ୍ୟମାନଙ୍କ ଅନଲାଇନ୍ ଭୋଟିଂ ଏବଂ ୨୧ ତାରିଖରେ କ୍ଲବର ବାର୍ଷିକ ସାଧାରଣ ବୈଠକ ସହ ସିଧାସଳଖ ଭୋଟ୍ ମଧ୍ୟ ହେବ । ୨୧ ତାରିଖ ଦିନ ଦିବା ୧୧ଟାରୁ ସନ୍ଧ୍ୟା ୫ଟା ଯାଏ ଭୋଟ୍ ହେବ । ପରେ ୬ଟା ବେଳେକୁ ଭୋଟ୍ ଗଣତି ହୋଇ ଫଳାଫଳ ଘୋଷଣା ହେବ । ଭୁବନେଶ୍ବର କ୍ଲବରେ ମୋଟ ଭୋଟ୍ ସଂଖ୍ୟା ହେଉଛି ୨୩୨୧ । ସେଥିରୁ ୧୯୨୨ ଜଣ ବ୍ୟକ୍ତିଗତ ଭୋଟର ଏବଂ ୩୯୯ ଜଣ କର୍ପୋରେଟ୍ ଭୋଟର ଅଛନ୍ତି । ତେବେ ଦୁଇ ପୂର୍ବତନ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହେବ ବୋଲି ଆଶା କରାଯାଉଛି । ଦେଖିବାକୁ ବାକି ରହିଲା ଏଥର ଭୋଟର କାହାକୁ ଗାଦିରେ ବସାଉଛନ୍ତି, ପୁରୁଣା ନା ନୂଆଙ୍କୁ ।