ଜୁନ୍ ୭ରୁ ‘ଭୁବନେଶ୍ୱର ଚଳଚ୍ଚିତ୍ର ମହୋତ୍ସବ’, ଓଡ଼ିଆ ସିନେମାର ୯ ଦଶନ୍ଧି ଯାତ୍ରା ଉପରେ ହେବ ସ୍ପେଶାଲ ସ୍କ୍ରିନିଂ

ଜୁନ୍ ୭ରୁ ଭୁନେଶ୍ୱରର ଜୟଦେବ ଭବନରେ ଆୟୋଜିତ ହେବାକୁ ଯାଉଛି ‘ଭୁବେନଶ୍ୱର ଚଳଚ୍ଚିତ୍ର ମହୋତ୍ସବ (BFF)’ । ଏହା ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମହୋତ୍ସବ ଅବସରରେ ଓଡ଼ିଆ ସିନେମାର ୯ ଦଶନ୍ଧି ଯାତ୍ରା ଉପରେ ଏକ ମିଳିତ ଆଲୋଚନାଚକ୍ର, ମାଷ୍ଟର କ୍ଲାସେସ୍ ସହ ସ୍କ୍ରିନିଂ ଅନୁଷ୍ଠିତ ହେବ ।
ସାଂସ୍କୃତିକ ଇତିହାସରେ ଚଳଚ୍ଚିତ୍ର ମହୋତ୍ସବ ହେଉଛି ଏକ ଯାତ୍ରା, ଯାହା କେବଳ ଦର୍ଶକମାନଙ୍କୁ ଶିକ୍ଷା ଦେବାର ଏକ ମାଧ୍ୟମ ନୁହେଁ ବରଂ ସଂସ୍କୃତି ଓ ପରମ୍ପରା ସହ ଜଡିତ କରିବାର ଏକ ପ୍ରୟାସ ।
ଆଞ୍ଚଳିକ ସିନେମା ହେଉଛି ଭାରତର ସାଂସ୍କୃତିକ ବିବିଧତାର ବାହକ । ଭାରତରେ ବ୍ରିଟିଶ ଶାସନ ସମୟରେ ଜନ୍ମ ନେଇଥିବା ଚଳଚ୍ଚିତ୍ର ଶିଳ୍ପ ମଧ୍ୟରୁ ଓଡ଼ିଆ ଭାଷା ସିନେମା ଅନ୍ୟତମ । ୧୯୩୬ ଏପ୍ରିଲ ୧ରେ ଯେତେବେଳେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବେ ଜନ୍ମ ନେଇଥିଲା, ସେହି ବର୍ଷ ଏପ୍ରିଲ ୨୮ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ମୁକ୍ତିଲାଭ କରିଥିଲା ।
ଚଳଚ୍ଚିତ୍ର ନିର୍ମାଣର ପ୍ରାରମ୍ଭିକ ବର୍ଷରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଉଭୟ ସଂଖ୍ୟା, କୌଶଳ, ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମି ସହିତ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ।
ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏହି ଚଳଚ୍ଚିତ୍ର ମହୋତ୍ସବ (BFF) ସ୍ୱତନ୍ତ୍ର ଓଡ଼ିଆ ଚଳଚ୍ଚିତ୍ର ଆୟୋଜନ ପାଇଁ ଏକ ସୁନ୍ଦର ପଦକ୍ଷେପ । ଭାରତର ବିଭିନ୍ନ ସ୍ଥାନରୁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଟେକ୍ନିସିଆନ୍, ଲେଖକ ଏବଂ ଓଡ଼ିଆ ସିନେମାର ବିଶେଷଜ୍ଞମାନେ ଏହି ମହୋତ୍ସବ ପାଇଁ ଏକାଠି ହୋଇଛନ୍ତି ।
‘ଭୁବେନଶ୍ୱର ଚଳଚ୍ଚିତ୍ର ମହୋତ୍ସବ (BFF)’ ରେ ସିନେମା ସବୁ ୩ଟି ବର୍ଗରେ ପ୍ରଦର୍ଶିତ ହେବ । ପ୍ରଥମଟି ହେଲା, ମେନଷ୍ଟ୍ରିମ୍ କମର୍ସିଆଲ୍ ସିନେମା, ଦ୍ୱିତୀୟଟି ନୂତନ େଓ୍ଵଭ୍ କିମ୍ବା ପାରାଲାଲ୍ ସିନେମା ଏବଂ ତୃତୀୟଟି ପ୍ରସଙ୍ଗ ଭିତ୍ତିକ ରାଜନୈତିକ ଚଳଚ୍ଚିତ୍ର ।
ମହୋତ୍ସବ ଅବସରରେ ଓଡ଼ିଆ ସିନେମା ଉପରେ ଏକ ସମ୍ପାଦିତ ପୁସ୍ତକ ଉନ୍ମୋଚିତ ହେବ, ଯାହା ଉତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ପୁସ୍ତକର ଇଂଲିଶ୍ ଟାଇଟଲ୍ ରହିଛି ‘Odia Cinema@90: Rhythms, Renditions and Reflections’ । ଏହି ପୁସ୍ତକ ଉନ୍ମୋଚନର ମୁଖ୍ୟ ଲକ୍ଷ୍ୟ ହେଉଛି, ବିଶ୍ୱସ୍ତରୀୟ ଦର୍ଶକଙ୍କ ପାଖରେ ଓଡ଼ିଆ ସିନେମା ପହଞ୍ଚାଇବା । ଏହାଦ୍ୱାରା କେବଳ ଓଡ଼ିଆରେ ଚଳଚ୍ଚିତ୍ର ଏକାଡେମିକ୍ ମଜଭୁତ ହେବ ନାହିଁ ବରଂ ସାମାଜିକ ବିଜ୍ଞାନ ଏବଂ ସିନେମା ଉପରେ ଗବେଷଣାକୁ ଏହା ପ୍ରୋତ୍ସାହିତ କରିବ ।
ଭୁବନେଶ୍ୱର ଚଳଚ୍ଚିତ୍ର ମହୋତ୍ସବ ଦୁଇଟି ମାଷ୍ଟର କ୍ଲାସ୍ ମଧ୍ୟ ପ୍ରଦାନ କରିବ । ଗୋଟିଏ ଚଳଚ୍ଚିତ୍ର ଅଭିନୟ ଉପରେ ଏବଂ ଅନ୍ୟଟି ସ୍କ୍ରିନ୍ ପ୍ଲେ ଲେଖା ଉପରେ ରହିବ । ଅଭିନୟ ଏବଂ ସ୍କ୍ରିନ୍ ପ୍ଲେ ରାଇଟିଂ ଉପରେ ବଲିଉଡ୍ ଆଶାୟୀଙ୍କ ସହିତ କିଛି ସମୟ ଅତିବାହିତ କରିବା ପାଇଁ ମୁମ୍ବାଇର ଦୁଇ ଜଣ ପ୍ରତିଷ୍ଠିତ ଚଳଚ୍ଚିତ୍ର ନିର୍ମାତା ଆସୁଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ମୁକେଶ ଛାବ୍ରା । ଯିଏକି ପ୍ରତିଷ୍ଠିତ କାଷ୍ଟିଂ ନିର୍ଦ୍ଦେଶକ ଏବଂ ଚଳଚ୍ଚିତ୍ର ନିର୍ମାତା । ସେ ଜୁନ୍ ୮ରେ ଅଭିନେତାମାନଙ୍କ ସହ ମତ ବିନିମୟ କରିବେ । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନରେ ଅପରାହ୍ନ ୩ଟାରେ ଆୟୋଜିତ ହେବ ।
ସେହିପରି ଫିଲ୍ମ ‘OMG 2’ର ପ୍ରଖ୍ୟାତ ନିର୍ଦ୍ଦେଶକ ଅମିତ୍ ରାୟ ସ୍କ୍ରିନ୍ ପ୍ଲେ ରାଇଟିଂ ଉପରେ ଏକ ମାଷ୍ଟର କ୍ଲାସ୍ ନେବେ । ଜୁନ୍ ୯ ତାରିଖ ପୂର୍ବାହ୍ନ ୧୧ଟାରେ ଗୀତ ଗୋବିନ୍ଦ ସଦନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଉଭୟ ମାଷ୍ଟର କ୍ଲାସ୍ ପାଇଁ ପୂର୍ବରୁ ସୋସିଆଲ ମିଡିଆ ଜରିଆରେ ରେଜିଷ୍ଟ୍ରେସନ କରାଇବାକୁ ପଡ଼ିବ ।
ଲୋକଙ୍କ ମଧ୍ୟରେ ଓଡ଼ିଆ ସିନେମା, ପୁରୁଣା କ୍ଲାସିକ୍ ଏବଂ ପୁରସ୍କାର ପ୍ରାପ୍ତ ଓଡ଼ିଆ ସିନେମା ପ୍ରତି ଆଗ୍ରହ ସୃଷ୍ଟି କରାଇବା ହେଉଛି ଏହି ଚଳଚ୍ଚିତ୍ର ମହୋତ୍ସବର ମୂଳ ଉଦ୍ଦେଶ୍ୟ । ଯୁଗ ପରେ ଯୁଗ ଏଭଳି ଏକ ସ୍ୱତନ୍ତ୍ର ଓଡ଼ିଆ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବାକୁ ଯାଉଛି ।
ଉତ୍ସବ ଅବସରରେ ବିଭିନ୍ନ କ୍ଲାସିକ ତଥା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ଓଡ଼ିଆ ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବ। ଏଥିରେ ସାମିଲ ରହିଛି ମାୟା ମିରିଗ, ଅହଲ୍ୟା, ଶୂନ୍ୟ ସ୍ୱରୂପ, ଛ’ ମାଣ ଆଠ ଗୁଣ୍ଠ, ଧଉଳି ଏକ୍ସପ୍ରେସ୍, ଶଲା ବୁଢ଼ାର ବଦ୍ଲା, ଭିଜାମାଟିର ସ୍ୱର୍ଗ, ତାରା, ଶେଷ ଦୃଷ୍ଟି, ହେଲୋ ଆର୍ସି, ଶୂକ ଆସୁଛି, ମୋକ୍ଷ, ରିମେମ୍ବରିଂ ପ୍ରମୋଦ ପତି, ଜିଅନ୍ତା ଭୂତ ଓ ମଲାଜହ୍ନ ପରି ସିନେମା।
ଚଳଚ୍ଚିତ୍ର ଉପରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏହି ମହୋତ୍ସବ ଉପଯୋଗୀ ହେବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ, ‘Odia Cinema@90’ ପୁସ୍ତକ ଚଳଚ୍ଚିତ୍ର ବିଶେଷଜ୍ଞମାନଙ୍କୁ ଅଧିକ ଗବେଷଣା ତଥା ସିନେମା ଉପରେ ଲେଖିବା ପାଇଁ ପ୍ରୋତ୍ସାହିତ କରିବ, ଯାହା ଓଡ଼ିଆ ସିନେମାର ଅଭିବୃଦ୍ଧି ପାଇଁ ନିତାନ୍ତ ଆବଶ୍ୟକ ।
ଓଡ଼ିଶାରେ ଚଳଚ୍ଚିତ୍ର ଶିଳ୍ପର ଉନ୍ନତି ଦିଗରେ ପ୍ରାଥମିକତା ଦେବାକୁ ଏହି ମହୋତ୍ସବ ରାଜ୍ୟ ସରକାରଙ୍କୁ ପ୍ରୋତ୍ସାହିତ କରିବ ବୋଲି ଆୟୋଜକ ଆଶା ରଖିଛନ୍ତି । ଭୁବେନଶ୍ୱର ଚଳଚ୍ଚିତ୍ର ମହୋତ୍ସବର ସହପରିଚାଳକ ରହିଛନ୍ତି ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ପଟ୍ଟନାୟକ ।