ଏଣିକି ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ପାଇବେ ଗାଡ଼ି ଚାଳକ, ଆଜି ହଂସପାଳ ଓଭରବ୍ରିଜ୍ ଉଦ୍ଘାଟନ କରିବେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଟ୍ୱିନ ସିଟି ଯାତ୍ରୀଙ୍କ ପାଇଁ ଖୁସି ଖବର । ଆଜି ଉଦ୍ଘାଟନ ହେବ ହଂସପାଳ ଓଭରବ୍ରିଜ୍ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦିନ ୧୦ ଟା ବେଳେ ଏହାକୁ ଲୋକାର୍ପଣ କରିବେ । X ରେ ପୋଷ୍ଟ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ NHAI ଦ୍ୱାରା 24.5 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବହୁ ବର୍ଷର ଅପେକ୍ଷା ପରେ ଏହା ଜାନୁଆରୀ ୨୧ ରେ ସମସ୍ତଙ୍କ ପାଇଁ ଆନୁଷ୍ଠାନିକ ଭାବେ ଖୋଲାଯିବ।
ହଂସପାଳ ଫ୍ଲାଏଓଭର ଖୋଲାଯିବ ପରେଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ପାଇବେ ଗାଡ଼ି ଚାଳକ । ହଂସପାଳ ଛକରେ ଓଭରବ୍ରିଜ୍ କରିବାକୁ ସ୍ଥାନୀୟ ଲୋକେ ସାଂସଦ ଅପରାଜିତାଙ୍କ ନିକଟରେ ଦାବି କରିଥିଲେ । ଭୁବନେଶ୍ୱର ରାଜ୍ୟ ରାଜଧାନୀ ହୋଇଥିବାରୁ ଏହି ରାସ୍ତାରେ ପ୍ରବଳ ଭିଡ଼ ଜମୁଥିଲା । ବେଳେବେଳେ ଭିଡ଼ ପାହାଳ ପର୍ଯ୍ୟନ୍ତ ଲାଗି ରହୁଥିଲା । ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଗଲା । ଏନେଇ ଲୋକେ ବାରମ୍ବାର ଅଭିଯୋଗ କରିବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ । ଅପରାଜିତାଙ୍କ ହସ୍ତକ୍ଷେପ ପରେ ପୁଣି ଥରେ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇଥିଲା ।
ଅନ୍ୟପଟେ ସକାଳ ୮ଟାରୁ ଦିନ ୧ଟା ଏବଂ ସନ୍ଧ୍ୟା ୬ଟାରୁ ରାତି ୧୦ ମଧ୍ୟରେ କଟକ ପଟରୁ ଭୁବନେଶ୍ବର ଆସୁଥିବା ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । କାରଣ ହଂସପାଳ ଛକରେ ଫ୍ଲାଏଓଭର୍ ବ୍ରିଜ୍ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ସୃଷ୍ଟି ହେଉଥିବା ଟ୍ରାଫିକ୍ ଜାମ୍ରେ ବହୁମୂଲ୍ୟ ସମୟ ଦେବାକୁ ପଡୁଥିଲା । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ଆମ୍ବୁଲାନ୍ସ ସାଇରନ୍ ବାଜିଲେ ବି ଆଗକୁ ଯିବାକୁ ବାଟ ମିଳେ ନାହିଁ । ଅନ୍ୟପଟେ ଟ୍ରାଫିକ୍ ସମସ୍ୟାର ମୁକାବିଲା ପାଇଁ କମିସନରେଟ୍ ପୋଲିସ କିଛି ଟ୍ରାଫିକ୍ ପୋଲିସଙ୍କୁ ନିୟୋଜିତ କରିଥିଲେ ମଧ୍ୟ ଏତେ ବଡ଼ ଟ୍ରାଫିକ୍ ଜାମକୁ ସମ୍ଭାଳିବା ସେମାନଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ । ଉଭୟ ଏନ୍ଏଚ୍ଏଆଇ ଓ କମିସନରରେଟ୍ ପୋଲିସ ତତ୍ପରତା ନଦେଖାଇବା ସାଧାରଣ ଲୋକଙ୍କୁ ଭୀଷଣ କଷ୍ଟ ଦେଉଥିଲା କିନ୍ତୁ ଏବେ ସେଥିରୁ ଯାତ୍ରୀଙ୍କୁ ମୁକ୍ତି ମିଳିବ।
Read Also: ଶିକ୍ଷାନୀତିରେ ଆସିଲା ନୂଆ ନିୟମ: ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ଲେଖିଇପାରିବେ ନାମ