କ୍ରିକେଟ ଖେଳକୁ ନେଇ ରାସ୍ତାରୋକ, ରସୁଲଗଡ଼-କଳ୍ପନା ରାସ୍ତାରେ ଅଟକି ରହିଛି ଶହ ଶହ ଗାଡ଼ିମୋଟର
ଭୁବନେଶ୍ୱର : କ୍ରିକେଟ ଖେଳକୁ ନେଇ ରାସ୍ତାରୋକ। ଭୁବନେଶ୍ବର ଲକ୍ଷ୍ମୀସାଗର ଛକରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । ଖେଳ ପଡ଼ିଆରେ କ୍ରିକେଟ ମ୍ୟାଚ ବାରଣକୁ ନେଇ ତୁମୁଳକାଣ୍ଡ ହୋଇଛି । ଫଳରେ ରାସ୍ତାରୋକ ପାଇଁ ଛୁଟି ଦିନରେ ଫସିଲେ ଲୋକେ ।
ଲକ୍ଷ୍ମୀସାଗର-କଟକ ରୋଡ୍ ରାସ୍ତା ଉପରେ ବସି ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ରସୁଲଗଡ଼-କଳ୍ପନା ରାସ୍ତାରେ ଅଟକି ରହିଛି ଶହ ଶହ ଗାଡ଼ିମୋଟର । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସର ଉଦ୍ୟମ । ସୂଚନା ଅନୁସାରେ ପ୍ରାୟ ୨ଘଣ୍ଟା ଧରି ଏହି ଜାମ୍ ରହିଥିଲା, ଆଉ ଯାତ୍ରୀ ଫସି ରହିଥିଲେ ।
ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ରାସ୍ତାରେ ଅଟକି ରହିଥିବା ଯାତ୍ରୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କଥା କଟାକଟି ହେବା ଦେଖିବାକୁ ମିଳିଛି । ପୋଲିସ୍ ଓ ଆନ୍ଦୋଳନକାରୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନ ବେଳେ ଜଣେ ମହିଳା ବେହୋସ୍ ହୋଇଯାଇଥିଲେ ବୋଲି ସୂଚନା ମିଳିଛି ।
ରାସ୍ତାରୋକ ଯୋଗୁଁ ରସୁଲଗଡ କଳ୍ପନା ଜାତୀୟ ରାଜପଥରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଯାନବାହାନ ଅଟକି ରହିଥିଲା। ଆଜି ଛୁଟି ଦିନ ଥିବାରୁ ବହୁ ସଂଖ୍ୟା ରେ ପର୍ଯ୍ୟଟକ ପୁରୀ ଦର୍ଶନ ପାଇଁ ଆସିଥିଲେ। ସେମାନେ ଦୀର୍ଘ ସମୟ ଧରି ଅଟକି ରହିଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଆନ୍ଦୋଳନକାରୀ ଙ୍କ ସହ ଦୀର୍ଘ ସମୟ ଧରି ବୁଝା ସୁଝା ପରେ ମଧ୍ୟ ଶୁଣିନଥିଲେ। ପୋଲିସ ପ୍ରତିବାଦ କରୁଥିବା ମହିଳା, ଯୁବକଙ୍କୁ ଜବରଦସ୍ତ ହଟାଇ ବାରୁ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।