ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବଳୟରେ ଭୁବନେଶ୍ବର, ସକାଳ ସାଢେ ୭ଟାରୁ ଦିନ ୩ଟା ଯାଏ ଟ୍ରାଫିକ କଟକଣା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ବର । ସକାଳ ୧୦ଟା ୫୦ରେ ଆସି ଭୁବନେଶ୍ବର ବିମାନବନ୍ଦରରେ ବିମାନବନ୍ଦରରେ ପହଞ୍ଚିବେ । ପ୍ରାୟ ୩ ଘଣ୍ଟା ଭୁବନେଶ୍ବରରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ବିଏମସି ଅଞ୍ଚଳରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଦିନ ୨ଟା ଯାଏ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ମୋଦିଙ୍କ ଗସ୍ତ ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା ଜାରି ହୋଇଛି । ସକାଳ ସାଢେ ୭ଟାରୁ ଅପରାହ୍ନ ୩ଟା ଯାଏ ରହିବ କଟକଣା । ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ଲାଗୁ କରିଛି କମିସନରେଟ ପୋଲିସ ।
ତେବେ ଜରୁରୀକାଳୀନ ସେବା ଅଗ୍ନିଶମବାହିନୀ ଓ ଆମ୍ବୁଲାନ୍ସ ପାଇଁ କଟକଣା ରହିବ ନାହିଁ । ବିମାନବନ୍ଦରରୁ ଗାଡ଼କଣ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାରିକେଡ୍ କରାଯିବା ସହ ପୁଲିସ ଛାଉଣୀ କରାଯାଇଛି । ଉଭୟ ପାର୍ଶ୍ବର ସମସ୍ତ ବଡ଼ ବିଲ୍ଡିଂ ଠାରୁ ଆରମ୍ଭ କରି ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ସ୍ବତନ୍ତ୍ର କଟକଣା ଜାରି ହୋଇଛି । ବିମାନବନ୍ଦର ଓ ଭୁବନେଶ୍ୱରକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯାଇଛି । ବ୍ଲୁ-ବୁକ୍ ସୁରକ୍ଷା ନେଇ ସମସ୍ତ ବନ୍ଦୋବସ୍ତ ହୋଇଛି। ବିମାନବନ୍ଦରରୁ ଆରମ୍ଭ କରି ଗାଡ଼କଣ ଓ ଉତ୍ସବ ସ୍ଥଳ ସମଗ୍ର ଅଞ୍ଚଳ ସିସିଟିଭି ନଜରରେ ରହିଛି ।