ଭୁବନେଶ୍ବରରେ ଯୁବକଙ୍କୁ ହତ୍ୟା ମାମଲାରେ: ୫ ଗିରଫ, ଏବେ ବି ମାଷ୍ଟର ମାଇଣ୍ଡ ସମେତ ୫ ଫେରାର
ଭୁବନେଶ୍ବର: ଭୁବନେଶ୍ବର ରସୁଲଗଡ଼ ଫ୍ଲାଏ ଓଭରରେ ଯୁବକଙ୍କୁ ବୀଭତ୍ସ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡକୁ ଧରିବାକୁ ତନାଘନା । ଏବେ ବି ମାଷ୍ଟର ମାଇଣ୍ଡ ସମେତ ୫ ଜଣ ଫେରାର ଅଛନ୍ତି । ମାଷ୍ଟରମାଇଣ୍ଡ ସୁଶାନ୍ତ ନାୟକ ଓ ଅନ୍ୟ ମାନଙ୍କୁ ଧରିବାକୁ ପୋଲିସର ୩ଟି ସ୍ବତନ୍ତ୍ର ଟିମ୍ ଲାଗିଛି । ମୁଖ୍ୟ ଅଭିଯୁକ୍ତ ସହ ବର୍ତ୍ତମାନ ସୁଦ୍ଧା ୫ଜଣ ଗିରଫ ହୋଇଛନ୍ତି । ନିଶା କାରବାରକୁ ନେଇ ସହଦେବଙ୍କୁ ହତ୍ୟା କରିବାକୁ ବହୁ ଦିନ ହେଲା ଯୋଜନା କରାଯାଉଥିଲା । ମଙ୍ଗଳବାର ରାତିରେ ଡୁମୁଡୁମାରେ ହୋଇଥିଲା ହତ୍ୟା ଯୋଜନା । ସୁଶାନ୍ତ ନାୟକଙ୍କ ଘରେ ସମସ୍ତ ଅଭିଯୁକ୍ତ ଏକାଠି ହୋଇଥିଲେ । ଫୈସଲା ଅନ ଦ ସ୍ପଟ କରିବାକୁ ନିଷ୍ପତ୍ତି ହୋଇଥିଲା ।
ଗତ ବୁଧବାର ସହଦେବ ଝିଅକୁ ସ୍କୁଲରେ ଛାଡି ଫେରୁଥିବାବେଳେ ରସୁଲଗଡ଼ ଓଭରବ୍ରିଜ ଉପରେ ଖଣ୍ଡାରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ବାଇକରେ ଫେରାର ହୋଇଯିବାର ମାତ୍ର ୧୨ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ନୟାଗଡ଼ ଶରଣକୂଳରୁ ଗିରଫ କରିଥିଲା କମିସନରେଟ ପୋଲିସର ସ୍ବେଶାଲ ସ୍କ୍ବାଡ ଓ ମଞ୍ଚେଶ୍ବର ଥାନା ପୋଲିସ । ଗତକାଲି ତିନି ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ ରିକ୍ରିଏଟ କରାଯାଇଥିଲା । ହତ୍ୟାକାରୀ ମାନେ ଲିଙ୍ଗିପୁର ଦୟାନଦୀ ପଠାରେ ଏକାଠି ହୋଇଥିଲେ । ସେଠାରେ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ଚାପଡ଼ ଓ ଅନ୍ୟ ସାମଗ୍ରୀ ଜରି ବ୍ୟାଗ୍ ରେ ଭର୍ତ୍ତି କରି ଦୟା ନଦୀରେ ଫୋପାଡି ଦେଇଥିଲେ । ସିନ୍ ରିକ୍ରିଏସନ୍ ସମୟରେ ସବୁ ପ୍ରମାଣ ଜବତ କରିଛି ତଦନ୍ତକାରୀ ପୋଲିସ ଟିମ୍ ।