ରାଜଧାନୀରେ ଆୟତ୍ତ ହେଲା ଆପାର୍ଟମେଣ୍ଟ ନିଆଁ, ସମସ୍ତେ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର (କେନ୍ୟୁଜ): ଟଳିଲା ବଡ଼ ଅଘଟଣ ।  ରାଜଧାନୀରେ ଆୟତ୍ତ ହେଲା ଆପାର୍ଟମେଣ୍ଟ ନିଆଁ ।  ଭୁବନେଶ୍ୱର ପଟିଆ ଛକର ଆପାର୍ଟମେଣ୍ଟରୁ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।  ଅଷ୍ଟମ ମହଲାରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବିଭାଗ ଟିମ୍ ପହଁଚି ଏହାକୁ ଲିଭାଇଛନ୍ତି । ପ୍ରାୟ ୪୫ ମିନିଟ ଅପରେସନ ପରେ ଭୟାବହ ଅଗ୍ନିକାଣ୍ଡକୁ ଆୟତ୍ତ କରିବା ସହ ଅନେକ ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ସୂଚନା ଅନୁସାରେ ପଟିଆ ଛକ ନିକଟରେ ଥିବା କେ.କେ ପ୍ଲାଜା ନାମକ ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଥିବା ୮୦୩ ନଂ ଫ୍ଲାଟରୁ ସକାଳୁ ସକାଳୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପରେ ଏହା ଚାରିଆଡ଼େ ବ୍ୟାପିବାକୁ ଲାଗିଲା । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଥିଲେ । ନିଆଁ ଲିଭା ସରଞ୍ଜାମ ଏତେ ଉଚ୍ଚକୁ ନେବା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା । ମାତ୍ର ବହୁ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଜ ସରଞ୍ଜାମ ସହ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡ ଯୋଗୁ ୪ ରୁ ୫ ଜଣ ବୃଦ୍ଧ ଲୋକ ଧୁଆଁ ପାଇଁ ଅସୁସ୍ଥ ହୋଇଥିଲେ ଏବେ ସେମାନଙ୍କ ଅବସ୍ଥା ସୁରକ୍ଷିତ ଅଛି ବୋଲି ସୂଚନା ମିଳିଛି । ଚାରିଆଡ଼େ ଧୂଆଁ ଖେଳି ଯାଇଥିବାରୁ କିଛି ଲୋକ ଅଣନିଶ୍ୱାସୀ ହୋଇ ପଡ଼ିଥିବା ଅଭିଯୋଗ କରିଛନ୍ତି। ତେବେ କେହି ମେଡିକାଲରେ ଭର୍ତ୍ତି ହୋଇ ନଥିବା ଜଣାଯାଇଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

You might also like