ପିଏମଇଜିପି ଯୋଜନାରେ ସଫଳ ଯୁବ ଉଦ୍ୟୋଗୀ ଭୁପେନ୍ଦ୍ର ପ୍ରସାଦ ନାୟକ

ଦେବଗଡ଼: ଶିଳ୍ପ ବିହୀନ ଦେଓଗଡ ଜିଲ୍ଲାରେ ରୋଜଗାର ପାଇଁ ଶିକ୍ଷିତ ବେକାର ଯୁବକ ନିରାଶ ହୋଇଥିବା ସମୟରେ ପିଏମଇଜିପି ଯୋଜନା ତାଙ୍କ ପାଇଁ ଆଶାର ଆଲୋକ ଆଣିଛି । ଏହି କ୍ରମରେ ଆଦିବାସୀ ଅଧ୍ୟୁଷିତ ତିଲେଇବଣୀ ବ୍ଲକର ଜଣେ ଶିକ୍ଷିତ ଯୁବକ ଜିଲ୍ଲା ଶିଳ୍ପ କେନ୍ଦ୍ର ସହାୟତାରେ ପିଏମଇଜିପି ଯୋଜନାରେ ଆତ୍ମନୀର୍ଭରଶୀଳ ହେବା ସହ ଅନେକଙ୍କ ପାଇଁ ରୋଜଗାର ବାଟ ଫିଟାଇଛି ।
ତିଲେଇବଣୀ ବ୍ଲକ ଅନ୍ତର୍ଗତ ଦୁଧିଆନଳୀ ପଞ୍ଚାୟତ ମହୁଲଦର୍ହ ଗାଁର ଭୁପେନ୍ଦ୍ର ପ୍ରସାଦ ନାୟକ । ସେ ଜଣେ ଆଇନ ସ୍ମାତକ ଛାତ୍ର । କିନ୍ତୁ ପିଏମଇଜିପି ଯୋଜନାରେ ଲକ୍ଷ୍ମୀପୁର ଗାଁ ଠାରେ ଥିବା ନିଜସ୍ଵ ପୈତୃକ ଜମିରେ ପଶୁ ଖାଦ୍ୟ ଉପାଦନର କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ କରି ନିଜେ ଆମ ନୀର୍ଭରଶୀଳ ହେବା ସହ ସେହି ଅଞ୍ଚଳର ପ୍ରାୟ ୨୦ ଜଣ ଯୁବକଙ୍କୁ ରୋଜଗାର ଦେଇପାରିଛନ୍ତି । ଗତ ୨୦୨୧ ମସିହାରେ ଜିଲ୍ଲା ଶିଳ୍ପ ସହାୟତାରେ ପିଏମଇଜିପି ଯୋଜନାରେ ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ସହାୟତା ପାଇ ଉଦ୍ୟୋଗ ପ୍ରତିଷ୍ଠା କରିଥିଲେ । ପ୍ରଥମେ ସେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ଏକ ଲାଭଦାୟକ ସଂସ୍ଥା ପାଲଟିଥିଲା ।
ପଶୁ ଖାଦ୍ୟ ଉପାଦନ ପାଇଁ ଆବଶ୍ୟକୀୟ କଞ୍ଚାମାଲ ମୁଖ୍ୟତଃ ଉମରକୋଟ ଅଞ୍ଚଳରୁ ମକା,ମହାରାଷ୍ଠ୍ର ନାଗପୁରରୁ ସୋୟା, ବରଗଡ, ନୂଆପଡା,କଳାହାଣ୍ଡି ଆଦି ଜିଲ୍ଲାରୁ ଡାଲି ଚୂନି ଆସୁଥିବା ବେଳେ ସ୍ଥାନୀୟ ରାଇସମିଲରୁ ରାଇସବ୍ରେନ ଓ ସ୍ଥାନୀୟ ଆଖୁ ଚାଷୀଙ୍କ ଠାରୁ ଗୁଡ ସଂଗ୍ରହ କରାଯାଇ ପଶୁ ଖାଦ୍ୟ ପସ୍ତୁତ କରାଯାଉଛି । ଏହି ପ୍ରସ୍ତୁତି ପାଇଁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦ଜଣ ଯୁବକ ପ୍ରତିଦିନ ନିୟୋଜିତ ହୋଇଥାନ୍ତି । ଏହି ଉଦ୍ୟୋଗରୁ ଉତ୍ପାଦିତ ପଶୁ ଖାଦ୍ୟ ଉଚ୍ଚମାନର ହୋଇଥିବାରୁ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାକୁ ଯୋଗାଇ ଦିଆଯାଉଥିବା ଜଣାପଡିଛି ।
ଶ୍ରୀହରି କ୍ୟାଟେଲ ନାମରେ ବ୍ରାଣ୍ଡିଙ୍ଗ କରାଯାଇଛି । ଏହି ଉଦ୍ୟୋଗ ବଜାରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଦୈନିକ ୧୦ ଟନ ପଶୁ ଖାଦ୍ୟ ଉତ୍ପାଦନ ହୋଇପାରୁଥିବା ବେଳେ ନିଜର ସ୍ଵତନ୍ତ୍ର ପରିଚୟ ପାଇଁ ବଜାର ଚାହିଦା ସମୟାନୁସାରେ ବୃଦ୍ଧି ପାଇବାରେ ଲାଗିଥିବା ଦେଖିବାକୁ ମିଳିଛି । ଦେଓଗଡ ଭଳି ଏକ ଆର୍ଥିକ ଅନଗ୍ରସର ଓ ଶିଳ୍ପ ବିହୀନ ଜିଲ୍ଲାରେ ପିଏମଇଜିପି ଯୋଜନା ରେ ପ୍ରତିଷ୍ଠିତ ଏହି କ୍ଷୁଦ୍ର ଉଦ୍ୟୋଗ ଏବେ ଅନେକଙ୍କ ପାଇଁ ଆଶାର ବାଟ ଫିଟାଇଛି । ସେହିପରି ଏହି ଯୋଜନାରେ ବ୍ୟାଙ୍କ ସହାୟତାକୁ ଆଧାର କରି ଭୁପେନ୍ଦ୍ରଙ୍କ ଭଳି ଅନେକ ଶିକ୍ଷିତ ଯୁବକ କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆଗଭର ହେଉଥିବା ବେଳେ ଭୁପେନ୍ଦ୍ରଙ୍କ ଶ୍ରୀହରି କ୍ୟାଟେଲ ଫିଡ ଉଦ୍ୟୋଗ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ପ୍ରେରଣା ସାଜିଛି ।
Also Read:ସାଂଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ବ ପାଇଁ ସେ ସ୍ମରଣୀୟ ରହିବେ : ନବୀନ ପଟ୍ଟନାୟକ