ଦାଦନ ସର୍ଦାରଙ୍କ କବଳରୁ ପତ୍ନି ଓ ଝିଅକୁ ମୁକୁଳାଇବା ପାଇଁ ଭୁବନଙ୍କ ଅନୁରୋଧ
ନୂଆପଡା: ଥମୁନି ଦାଦନ ଦୁଃଖ । ପୁଣି ସାମ୍ନାକୁ ଆସିଛି ଦାଦନ ନିର୍ଯାତନାର କରୁଣ ଚିତ୍ର । ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ବନ୍ଧା ପଡ଼ିଗଲେ ସ୍ତ୍ରୀ ଛୁଆ । କୌଶଳକ୍ରମେ ନିଜେ ସିନା ଖସି ଆସିଲେ ହେଲେ ଦାଦନ ସର୍ଦାରଙ୍କ କବଳରୁ ତାଙ୍କ ପତ୍ନି ଓ ୨ ବର୍ଷର ଝିଅକୁ ତୁରନ୍ତ ଉଦ୍ଧାର କରିବା ପାଇଁ ନୂଆପଡା ଜିଲାପାଳ ଓ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ଶ୍ରମିକ ଭୁବନ ବାଗ ।
ଅଭିଯୋଗ ଅନୁସାରେ, ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ଠେଲକୋଦାବରୀ ଗାଁର ଭୂବନ ବାଗ,ତାଙ୍କ ପତ୍ନି ଯଯାତି ଗହିର ଓ ତାଙ୍କ ୨ ବର୍ଷର ଝିକୁ ନେଇ ଗତ ନଭେମ୍ୱର ୮ତାରିଖ ଦିନ କାମ କରିବା ପାଇଁ ତେଲେଂଗାନାକୁ ଯାଇଥିଲେ । ଏଥିପାଇଁ ଭୁବନ ଖଡିଆଳ ଥାନା ଅନ୍ତର୍ଗତ କୁଳିଗାଁର ଦାଦନ ଦଲାଲ ତରୁଣଙ୍କ ଜରିଆରେ ବଲାଂଗିର ଜିଲା ଲାଠୋର ଗାଁର ଶ୍ରମିକ ଦଲାଲ ରତନ ମେହେରଙ୍କଠାରୁ ଅଗ୍ରିମ ଟଙ୍କା ନେଇଥିଲେ । ଶ୍ରମିକ ଦଲାଲ ଜଣକ ଭୁବନ ବାଗଙ୍କ ପରିବାରକୁ ନେଇ ତେଲେଂଗାନାର ପଇଦାପାଲୀ ଥାନା ଅନ୍ତର୍ଗତ ବାଇଗନପେଟ ଏକ୍ସରୋଡ ସ୍ଥିତ ରାମଗିରି ଇଟାଭାଟିରେ ଛାଡିଦେଇ ଆସିଥିଲେ । ହେଲେ ସେଠାରେ ଶ୍ରମିକ ଭୁବନଙ୍କ ପରିବାର ୨୦ଦିନ କାମ କରିବା ପରେ ତାଙ୍କ ଝିଅର ଦେହ ଅସୁସ୍ଥ ହେବା ଯୋଗୁଁ କାମ କରିପାରିନଥିଲେ ।
ପରେ ସେ ଗତ ନଭେମ୍ୱର ୩୦ ତାରିଖ ଦିନ ଏକ ଅଟୋରେ ସପରିବାରକୁ ନେଇ ଇଟାଭାଟିରୁ ଫେରିଆସୁଥିବା ବେଳେ ପଇଦାପାଲି ବାଇଗନ ରୋଡ ନିକଟରେ ଅନ୍ୟ ଜଣେ ଦାଦନ ଦଲାଲ ବଳମତ ବଗର୍ତିଙ୍କ ଲୋକମାନେ ସେମାନଙ୍କୁ ଅଟକାଇ ମାଡପିଟ କରିଥିଲେ । ପରେ ଭୁବନଙ୍କ ସ୍ତ୍ରୀ ଓ ଝିଅକୁ ଅପହରଣ କରି ନେଇ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ସେଠାରୁ ଭୁବନ କୌଶଳକ୍ରମେ ଜୀବନ ବଞ୍ଚାଇ ଘରକୁ ପଳାଇ ଆସିଛନ୍ତି । ହେଲେ ଭୂବନ ତାଙ୍କ ପତ୍ନି ଓ ଝିଅକୁ ଦାଦନ ସର୍ଦ୍ଦାରଙ୍କ କବଳରୁ ତୁରନ୍ତ ଉଦ୍ଧାର କରିବା ପାଇଁ ନୂଆପଡା ଜିଲାପାଳ ଓ ନୂଆପଡା ଏସପିଙ୍କ ନିକଟରେ ଲିଖିତ ଜଣେଇଛନ୍ତି । ତେବେ ଆଜି ପୂନର୍ବାର ଭୁବନ ଖଡିଆଳ ଥାନାକୁ ଆସି ଲିଖିତ ଜଣେଇବା ସହ ତାଙ୍କ ସ୍ତ୍ରୀ ପିଲାକୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି । ସେପଟେ ନୂଆପଡା ଜିଲାପାଳ ମଧୁସୂଦନ ଦାଶ ତେଲେଂଗାନାରେ ଅପହୃତ ହୋଇଥିବା ଦୁଇ ଓଡିଆ ଦାଦନ ଶ୍ରମିକଙ୍କୁ ଖୁବଶିଘ୍ର ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି।