ପୁଣି ଆଗେଇଲା ବିଧାନ ପରିଷଦ : ବିଧାନସଭାରେ ରିଜୋଲ୍ୟୁସନ୍ ଆଣିବାକୁ କ୍ୟାବିନେଟ୍ ନିଷ୍ପତ୍ତି

ଭୁବନେଶ୍ବର : ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଆଗାମୀ ମୌସୁମୀ ଅଧିବେଶନରେ ଆଗତ ହେବ ସଂକଳ୍ପ। ଆଜି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ବିଧାନସଭାରେ ସଙ୍କଳ୍ପ ଗୃହୀତ ହେଲେ, ଭାରତୀୟ ସମ୍ବିଧାନ ଧାରା ୧୬୯ରେ, ସଂସଦର ଅନୁମୋଦନ ପାଇଁ ଯିବ। ପରିଷଦ ଗଠନ ନେଇ, ଗଠିତ କମିଟି ୪ଟି ରାଜ୍ୟ ବୁଲି ତଥ୍ୟ ସଂଗ୍ରହ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ପ୍ରସ୍ତାବ। ପ୍ରସ୍ତାବ ମୁତାବକ, ପରିଷଦରେ ୪୯ ଜଣ ସଦସ୍ୟ ରହିବେ। ୧୬ ଜଣ ପଞ୍ଚାୟତ ଓ ପୌର ସ୍ତରରୁ ନିର୍ବାଚିତ ହେବେ। ଆଉ ୧୬ଜଣଙ୍କୁ ନିର୍ବାଚିତ କରିବେ ବିଧାୟକ। ୪ ଜଣ ଶିକ୍ଷକଙ୍କ ଦ୍ୱାରା ଓ ଆଉ ୪ ଜଣ ଗ୍ରାଜୁଏଟ୍ଙ୍କ ଦ୍ୱାରା ନିର୍ବାଚିତ ହେବେ। ନଅ ଜଣଙ୍କୁ ମନୋନୀତ କରିବେ ରାଜ୍ୟପାଳ। ବିଧାନ ପରିଷଦ ସଦସ୍ୟଙ୍କ କାର୍ୟ୍ୟକାଳ ୬ବର୍ଷ ରହିବ । ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ଆସନ ଖାଲି ହେବ। ଏଥିପାଇଁ ବର୍ଷକୁ ୩୫ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ହେବ।
ରାଜ୍ୟରେ ପୌର ପରିଷଦ ଗଠନ ନେଇ ରାଜନୀତି ମଧ୍ୟ ହେଉଛି। ବିରୋଧୀ ଏହାକୁ ଥଇଥାନ କେନ୍ଦ୍ର କହୁଛନ୍ତି। ଶାସକ ଦଳ ଉତ୍ତର, ଗଣତନ୍ତ୍ରରେ ଲୋକଙ୍କ ସମସ୍ୟା ଉପରେ ଅଧିକ ଆଲୋଚନା ପାଇଁ ବିଧାନ ପରିଷଦ ଆଉ ଏକ ଉପଯୁକ୍ତ ଫୋରମ।
ବିଧାନସଭା ପରିଷଦ ଗଠନ ପାଇଁ, ମନ୍ତ୍ରୀ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୪ଟି ରାଜ୍ୟ ବିହାର, ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଗସ୍ତ କରିଥିଲା। ସେଠାକାର ବିଧାନ ପରିଷଦ ଗଠନ ପ୍ରଣାଳୀର ଅନୁଧ୍ୟାନ କରିଥିଲା। ଏହାପରେ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ବିଧାନ ପରିଷଦ କାର୍ୟ୍ୟ ପୁରୁଣା ବିଧାନସୌଧର ସର୍ଦ୍ଦାର ବଲ୍ଲଭଭାଇ ପଟେଲ କକ୍ଷରେ କରିବାକୁ ଯୋଜନା ରହିଛି।