ଛତିଶା ନିଯୋଗର ବଡ଼ ନିଷ୍ପତ୍ତି: ମେଣ୍ଢାପୋଡ଼ି ଓ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ, ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ

ପୁରୀ: ସୁରୁଖୁରୁରେ ହେବ ଶ୍ରୀଜିଉଙ୍କ ଦୋଳପୂର୍ଣ୍ଣିମା ନୀତି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଚାଲିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଚାଲିଥିବା ଛତିଶା ନିଯୋଗ ବୈଠକ ଶେଷ ହୋଇଛି ।  ବୈଠକରେ ଆସନ୍ତା ୧୩ ଓ ୧୪ ତାରିଖରେ ହେବାକୁ ଥିବା ମେଣ୍ଢା ପୋଡି ଓ ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଉପରେ ମୋହର ବାଜିଛି । ସୁରୁଖୁରୁରେ ନୀତି ସମ୍ପାଦନ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୧୦ ଟି ୱାଟର ଡିସ୍ପେନସର ମାଧ୍ୟମରେ ଭକ୍ତଙ୍କୁ ପାଣି ଯୋଗାଇ ଦେବାକୁ ନିଆଯାଇଛି  । ପ୍ରାଥମିକ ପର୍ଯ୍ୟାୟରେ ୫ଟି ମୋବାଇଲ୍ ଡିସ୍ପେନସର୍ ପ୍ରସ୍ତୁତ ହୋଇଥିବା କହିଛନ୍ତି ଜିଲ୍ଲାପାଳ ।

ଏପଟେ ଶ୍ରୀମନ୍ଦିରରେ କେବଳ ଓମଫେଡ ଘିଅ ବ୍ୟବହାର ହେଉଥିବା ବେଳେ ଏବେ ନୂଆ ବ୍ରାଣ୍ଡିଂ କରି ଓମଫେଡ ଡବାରେ ମହାପ୍ରଭୁଙ୍କ ଫୋଟୋ ରଖିଛି ।  ଓମଫେଡ ଘିଅ ବ୍ୟବହାର କରିସାରିବା ପରେ ଡବା ଗୁଡ଼ିକ ଏଣେତେଣେ ପଡ଼ିବା ସହ ଏହାକୁ ବର୍ଜ୍ୟ ଉଠାଇବା କାର୍ଯ୍ୟରେ ବ୍ୟବହାର କରାଯାଉଥିବା ସେବାୟତ ଅଭିଯୋଗ କରିଛନ୍ତି । ଏହା ସମସ୍ତଙ୍କ ଭାବନା ସହ ଜଡ଼ିତ ହୋଇଥିବାରୁ ଓମଫେଡ୍ ସହ ଆଲୋଚନା କରାଯିବ ଏବଂ ବ୍ୟବହାର ପରେ ଡବା ଗୁଡ଼ିକ କିଭଳି ସଂଗ୍ରହ କରାଯାଇ କାମରେ ଲାଗିପାରିବ ସେନେଇ ପଦକ୍ଷେପ ନିଆଯିବ କହିଛନ୍ତି ଜିଲ୍ଲାପାଳ  ।

ଅନ୍ୟପଟରେ ଦର୍ଶନ ପାଇଁ ସେବାୟତଙ୍କ ଲୋକ ବା ପରିବାରକୁ ଛଡ଼ା ଯାଉନି । କେବଳ ଭିଆଇପି ଦର୍ଶନ ଜାରି ରହିଛି ବୋଲି ଅଭିଯୋଗ କରିଥିଲେ ସେବାୟତ ।  ଏହାକୁ ଧ୍ୟାନରେ ରଖି ସେବାୟତ ପ୍ରତିନିଧିଙ୍କୁ ନେଇ ଚାରି ଜଣିଆ ଟିମ୍ ଗଠନ ହେବ ବୋଲି ସେବାୟତଙ୍କୁ ପ୍ରତିଶ୍ରୁତି ଦିଆଯାଇଛି ।  ଦର୍ଶନ ଶୃଙ୍ଖଳା ପାଇଁ ସେମାନଙ୍କ ମତାମତ ନିଆଯିବ ।

 

ଆହୁରି ପଢ଼ନ୍ତୁ : ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପ୍ରବଚନ ପ୍ରସଙ୍ଗ, ୨୦୦ ଶ୍ରଦ୍ଧାଳୁଙ୍କୁ ନେଇ ପ୍ରବଚନ ପାଇଁ ଅନୁମତି