ଗ୍ରୁପ୍ ଲୋନ କରାଇଦେବ କହି ଲକ୍ଷାଧିକ ଟଙ୍କା ଲୁଟ୍, ଏବେ ଟଙ୍କା ସୁଝିବାକୁ ହିତାଧିକାରୀଙ୍କ ପାଖକୁ ଆସୁଛି ନୋଟିସ

ଚାନ୍ଦବାଲି: ଲୋନ କରାଇଦେବା ଆଡରେ ମହିଳାଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା । ଧନୀ କ୍ରେଡିଟ କାର୍ଡ ମାଧ୍ୟମରେ ଲୋନ କରାଇ ଦେବ କହି ଗାଁ ଲୋକଙ୍କୁ କରିଥିଲା ଟାର୍ଗେଟ । ଆଉ ମିଠା ମିଠା କଥାରେ ଫସାଇ ଗ୍ରାମବାସୀଙ୍କ ଠାରୁ ପ୍ୟାନ କାର୍ଡ ଆଧାର କାର୍ଡ ଆଣି ଲୋନ ମଧ୍ୟ କରିଥିଲା । ହେଲେ ଲୋନ କରାଇବା ପରେ ସବୁ ଗ୍ରାମବାସୀଙ୍କ ଲୋନ ଟଙ୍କା ଧରି ଚମ୍ପଟ ମାରିଥିଲା । ଏବେ ନିଜ ନାଁରେ ହୋଇଥିବା ଲୋନ ସୁଝୁଛନ୍ତି ଗାଁ ଲୋକେ । ଅଭିଯୁକ୍ତ ଜଣକ ହେଲା କଟକ ଅଞ୍ଚଳର ଯୁବକ ଦିଲ୍ଲିପ ସ୍ବାଇଁ ।

ଯାହାର କାରନାମା ଶୁଣିଲେ ଆପଣଙ୍କର ବି ମୁଣ୍ଡ ଗରମ ହେଇଯିବ । ଧାମରା ଅଞ୍ଚଳର ପାଖାପାଖି ୪୦୦ ରୁ ଉର୍ଦ୍ଧ୍ଵ ମହିଳାଙ୍କ ନାମରେ ଧନୀ କାର୍ଡ କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳର ଶତାଧିକ ମହିଳା । ଅଭିଯୋଗ ଅନୁସାରେ ଚାନ୍ଦବାଲି ବ୍ଲକ ଜାଗୁଳା ପଞ୍ଚାୟତ ଡିଆଁ ନରସିଂହପୁର ଗ୍ରାମର ମହିଳାଙ୍କୁ ଲୋନ୍ କରାଇଦେବା କହି ସେମାନଙ୍କ ନାମରେ ପ୍ରଥମେ ଧନୀ କାର୍ଡ ଆବେଦନ କରାଇଥିଲା ଠକ ଦିଲ୍ଲିପ ସ୍ବାଇଁ ।

ପରେ ସେହି ଧନୀ କାର୍ଡକୁ ଏକ ଘରୋଇ କମ୍ପାନୀ ପାଖରେ ବନ୍ଧକ ରଖି ମହିଳାଙ୍କୁ ୨୫ ହଜାର ଟଙ୍କା ଋଣ ପ୍ରଦାନ କରାଗଲା ବୋଲି ଏକ ଚୁକ୍ତି ପତ୍ର କରିନେଇଥିଲା ଏହି ଫ୍ରଡ୍ ଯୁବକ । ହେଲେ ମହିଳାଙ୍କୁ କୌଣସି ଟଙ୍କା ଦିଆଯାଇନଥିବା ବେଳେ ଧନୀର କୌଣସି କ୍ରେଡିଟ କାର୍ଡ ମଧ୍ୟ ମହିଳାଙ୍କୁ ଦିଆ ଯାଇନଥିଲା । ହେଲେ ଉକ୍ତ ଘଟଣାକୁ ଏକ ବର୍ଷ ପୂରିବା ପରେ ଲୋନ ଶୁଝିବା ପାଇଁ ମହିଳାଙ୍କ ନିକଟରୁ ନୋଟିସ ଆସିବା ପରେ କିଭଳି ଏହି ମହାଠକ ଗାଁର ନିରୀହ ମହିଳାମାନଙ୍କୁ ଚୂନ ଲଗାଇଥିଲେ ତାହା ଜଣାପଡ଼ିଥିଲା ।

ତେବେ ଦିଲ୍ଲିପ ସ୍ବାଇଁ ନାମକ ଯୁବକ ମହିଳାଙ୍କ ନାମରେ ଲୋନ କରି ପାଖାପାଖି ୧୫ ରୁ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ମହିଳା । ଯାହାକୁ ନେଇ ପୁର୍ବରୁ ଦିଲ୍ଲିପ ସ୍ବାଇଁଙ୍କ ନାମରେ ଧାମରା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା । ହେଲେ ଅଭିଯୋଗକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏବେ ମହିଳା ମାନଙ୍କ ନାମରେ ଚାଲିଥିବା ଲୋନକୁ ବନ୍ଦ କରିବା ସହିତ ଉକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଠକାମୀର ଶିକାର ହୋଇଥିବା ମହିଳାମାନେ ।

Also read: ଗରିବ ରୋଗୀଙ୍କ ପାଇଁ ୧ ଟଙ୍କାରେ ଦନ୍ତ ଚିକିତ୍ସା ଆରମ୍ଭ କରିଛନ୍ତି ଡ. ଶଙ୍କର ରାମଚନ୍ଦାନୀ