ମନିଷାରାଣୀ ଓ ସୁବାସିନୀ ପାଇଲେ ପ୍ରଥମ ବିଜୟଲକ୍ଷ୍ମୀ ସ୍ମୃତି ପୁରସ୍କାର

ଭୁବନେଶ୍ୱର :  ଛାତ୍ର ଛାତ୍ରୀମାନେ ପ୍ରଶ୍ନ ପଚାରିବାର ସାହସ କରନ୍ତୁ।  ପ୍ରଶ୍ନ ପଚାରିବା ଦ୍ଵାରା ବିଶ୍ଵ ଇତିହାସରେ ଅନେକ ପରିବର୍ତ୍ତନ ସମ୍ଭବ ହୋଇ ପାରିଛି । ଏହା ଦ୍ଵାରା ଅଜ୍ଞାନତା ଦୂର ହୁଏ ବୋଲି କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର। ପ୍ରଥମ ବିଜୟଲକ୍ଷ୍ମୀ ସ୍ମୃତି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପିଲାମାନେ ପ୍ରତ୍ୟେକ ଦିନ ରାତିରେ ଡାଏରୀରେ ଜଗତରୁ କଣ ପାଇଲେ ଓ କଣ ପ୍ରଦାନ କଲେ ଲେଖିବା ପାଇଁ ପରାମର୍ଶ ଦେଇଥିଲେ।

ରାଜ୍ୟର ବିଶିଷ୍ଟ ଗଣିତ ଏବଂ ବିଜ୍ଞାନ ଶିକ୍ଷୟତ୍ରୀ ପରଲୋକଗତ ବିଜୟଲକ୍ଷ୍ମୀ ମହାପାତ୍ର ଙ୍କ ସ୍ମୃତିରେ ତାଙ୍କ ପୁଅ ବରିଷ୍ଠ କ୍ରୀଡା ସାମ୍ୱାଦିକ ସମ୍ବିତ ମହାପାତ୍ରଙ୍କ ଦ୍ଵାରା ଆରମ୍ଭ କରାଯାଇଛି ଏହି ସ୍ମୃତି ପୁରସ୍କାର । ଶନିବାର ଦିନ ଭୁବନେଶ୍ବର ୟୁନିଟ୍-୧ ବାଳିକା ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର ଉତ୍ସବ। ସେହି ସ୍କୁଲରେ ବିଜୟଲକ୍ଷ୍ମୀ ପ୍ରାୟ ୨୦ ବର୍ଷ ଧରି କାର୍ଯ୍ୟ କରିଥିଲେ। ଗଣିତ ଏବଂ ବିଜ୍ଞାନରେ ଟପ୍ କରିଥିବା ସେହି ସ୍କୁଲ ର ଯଥାକ୍ରମେ ମନିଷା ରାଣୀ ସାହୁ ଓ ସୁବାସିନୀ ଦାସଙ୍କୁ ପ୍ରଥମ ବିଜୟଲକ୍ଷ୍ମୀ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇ ଥିଲା। ପୁରସ୍କାର ଆକାରରେ ଉଭୟଙ୍କୁ ନଗଦ ୩ ହଜାର ଟଙ୍କା, ପ୍ରଶସ୍ତି ପତ୍ର ଓ ଉପହାର ଦିଆଯାଇଥିଲା।

ସମ୍ମାନିତ ଅତିଥି ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଦେବ ପ୍ରସାଦ ଦାଶ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପିଲାମାନଙ୍କୁ ଆହ୍ବାନ କରିଥିଲେ। ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ ବଡ଼ପଣ୍ଡା, ଶିକ୍ଷୟିତ୍ରୀ ଅଜୟ ଲକ୍ଷ୍ମୀ, ନିବେଦିତା ତଥା ଭାରତୀ ନିଜ ନିଜ ସ୍ମୃତି ଚାରଣ କରିଥିଲେ।