ଶେଷ ହେଲା ମା ବିରଜାଙ୍କ ଲାଖବିନ୍ଧା ପର୍ଵ, ପୀଠରେ ଆଜି ପାଳିତ ହେଉଛି ବିଜୟା ଦଶମୀ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆଜି ପାଳିତ ହେଉଛି ବିଜୟା ଦଶମୀ ।  ଚାଲିଛି ମାଆଙ୍କ ପୂଜାର୍ଚ୍ଚନା ।  ଏହାପୂର୍ବରୁ ଗତକାଲି ନିଶାର୍ଦ୍ଧ ରାତ୍ରରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ ହୋଇଯାଇଛି । ନବଦିନାତ୍ମକ ରଥଯାତ୍ରାର ପରିସମାପ୍ତ ପରେ ରାତିରେ ରଥ ଉପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଲାଖବିନ୍ଧା ପର୍ବ ଆରମ୍ଭ ହୋଇଥିଲା ।  ଘଣ୍ଟଘଣ୍ଟା, ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରେ ମାଆଙ୍କ ବିଜେ ପ୍ରତିମାକୁ ଲାଖବିନ୍ଧା ପଡ଼ିଆକୁ ନିଆଯାଇଥିଲା ।

ସେଠାରେ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ଵାବଧାନରେ ରୀତିନୀତିରେ ପୂଜାର୍ଚ୍ଚନା ପରେ ପରମ୍ପରା ଅନୁସାରେ ସମାଜରୁ ପାପ ନାଶ ଉଦ୍ଦେଶ୍ୟରେ ଚତୁର୍ଦ୍ଦିଗକୁ ଶର ନିକ୍ଷେପ କରାଯାଇଥିଲା ।  ପରେ ନଅରପଦା ଦେଇ ମାଆଙ୍କ ବିଜେପ୍ରତିମାକୁ ଶୋଭାଯାତ୍ରାରେ ଅଣାଯାଇ ମନ୍ଦିର ପ୍ରବେଶ କରାଯାଇଥିଲା । ଏଭଳି ନିଆରା ପରମ୍ପରା ଅନ୍ୟ କୌଣସି ଦେବୀ ପୀଠରେ ଦେଖିବାକୁ ମିଳି ନଥାଏ । ଏହି ପର୍ବ ରେ ଶତାଧିକ ଶ୍ରଦ୍ଧାଳୁ ମାନେ ସାମିଲ ହୋଇଥିଲେ ।