ଓଡ଼ିଶାରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା’

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା’ । ଆଜି ସକାଳେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତରେ ପ୍ରବେଶ କରିଥିଲା । ବର୍ତ୍ତମାନ ଭଦ୍ରକ ଅତିକ୍ରମ କରିଛି ଡାକୋଟାକୁ ନେଇ ଆସୁଥିବା ଟ୍ରେଲର । ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବା ସମ୍ଭାବନା ରହିଛି । ଡାକୋଟାକୁ ଦେଖିବା ପାଇଁ ଜାତୀୟ ରାଜପଥ କଡ଼ରେ ଲୋକଙ୍କ ଭିଡ଼ ଜମୁଛି । ଗତକାଲି କୋଲକାତାରୁ ଭୁବନେଶ୍ୱର ବାହାରିଥିଲା । ତିନୋଟି ଟ୍ରେଲରରେ ଲଦା ହୋଇ ଆସୁଛି ଡାକୋଟା ବିମାନର ବିଭିନ୍ନ ଯନ୍ତ୍ରାଂଶ । ଅତି ପୁରୁଣା ବିମାନ ହୋଇଥିବାରୁ ଏହାର ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।

ରାଜ୍ୟ ସରକାର ବିଜୁ ବାବୁଙ୍କ ଡାକୋଟାକୁ ଭୁବନେଶ୍ୱର ବିମାନବନ୍ଦର ନିକଟରେ ସଂରକ୍ଷଣ କରିବେ । ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ବିଶେଷଜ୍ଞ ଟିମ୍‌ ଡାକୋଟାର ଯାଞ୍ଚ କରିବେ । ଏହାପରେ ବିଭିନ୍ନ ଯନ୍ତ୍ରାଂଶକୁ ଫିଟିଂ କରାଯିବ । ଡାକୋଟାକୁ ତାର ମୂଳ ଅବସ୍ଥାକୁ ଅଣାଯିବ । ୧୯୪୭ ମସିହା ଜୁଲାଇ ୨୧ ତାରିଖରେ ବିଜୁ ବାବୁ ଏହି ଡାକୋଟା ବିମାନରେ ଯାତ୍ରା କରି ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ସାହାରିର୍‌ଓ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଉଦ୍ଧାର କରି ଭାରତ ଆଣିଥିଲେ । ସେହି ସ୍ମୃତିକୁ ରଖିବା ପାଇଁ ଡାକୋଟା ବିମାନ ଭୁବନେଶ୍ୱର ବିମାନବନ୍ଦରରେ ସଂରକ୍ଷିତ ରହିବ । ଏଥିପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.