ଭୁବନେଶ୍ୱରରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା’

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା’। ଭୁବନେଶ୍ୱରରେ ପହଞ୍ଚିଲା ଡାକୋଟା ବିମାନ । ଆଜି ସକାଳେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତରେ ପ୍ରବେଶ କରିଥିଲା । ଗତକାଲି କୋଲକାତାରୁ ଭୁବନେଶ୍ୱର ବାହାରିଥିଲା । ତିନୋଟି ଟ୍ରେଲରରେ ଲଦା ହୋଇ ଆସୁଛି ଡାକୋଟା ବିମାନର ବିଭିନ୍ନ ଯନ୍ତ୍ରାଂଶ । ଏରୋସ୍ପେସ୍‌ ରିସର୍ଚ୍ଚ ଡେଭଲପମେଣ୍ଟର ୧୦ଜଣିଆ ଟିମ୍‌ ୧୨ଦିନ ଧରି ଡାକୋଟାର ବିଭିନ୍ନ ଯନ୍ତ୍ରାଂଶ ଖୋଲିଥିଲେ । ପରେ ଏହାକୁ କାଠ ବାକ୍ସରେ ପ୍ୟାକିଂ କରି ଦୁଇଟି ବଡ଼ ଲରିରେ ଆଣାଯାଇଛି । କାଠ ବାକ୍ସଗୁଡ଼ିକର ଉଚ୍ଚତା ୧୫ଫୁଟ ହୋଇଥିବାବେଳେ ଓସାର ପ୍ରାୟ ୧୦ଫୁଟ ରହିଛି ।

ଯେପରି ବଡ଼ ଲରି ଯୋଗୁଁ ଟ୍ରାଫିକ୍‌ ସମସ୍ୟା ହେବନି ସେଥିପାଇଁ କୋଲକତାରୁ ସ୍ୱତନ୍ତ୍ର ପାଟ୍ରୋଲିଂ ଭ୍ୟାନ୍‌ ଜରିଆରେ ଏହାକୁ ଭୁବନେଶ୍ଵର ବିମାନବନ୍ଦରକୁ ଅଣାଯାଇଛି । ଏଥିପାଇଁ ବାଲେଶ୍ଵର, ଭଦ୍ରକ, ଯାଜପୁର ଏବଂ ଭୁବନେଶ୍ୱର କମିସନରେଟ୍‌ ପୋଲିସ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ବିଶେଷଜ୍ଞ ଟିମ୍‌ ଡାକୋଟାର ଯାଞ୍ଚ କରିବେ । ଏହାପରେ ବିଭିନ୍ନ ଯନ୍ତ୍ରାଂଶକୁ ଫିଟିଂ କରା ଡାକୋଟାକୁ ତାର ମୂଳ ଅବସ୍ଥାକୁ ଅଣାଯିବ । ବିମାନକୁ ବିଜୁ ପଟ୍ଟନାୟକ ବିମାନବନ୍ଦର ସମ୍ମୁଖରେ ରଖିବା ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୧ ଦଶମିକ ୧ଏକର ଜମି ଯୋଗାଇ ଦେଇଛନ୍ତି । ଟର୍ମିନାଲ-୧ ସମ୍ମୁଖରେ ଏହି ଜମି ମିଳିଛି ।

ସେଠାରେ ବିମାନଟିକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯିବ । ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୪୭ ମସିହା ଜୁଲାଇ ୨୧ ତାରିଖରେ ବିଜୁ ବାବୁ ଏହି ଡାକୋଟା ବିମାନରେ ଯାତ୍ରା କରି ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ସାହାରିର୍‌ଓ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଉଦ୍ଧାର କରି ଭାରତ ଆଣିଥିଲେ । ସେହି ସ୍ମୃତିକୁ ରଖିବା ପାଇଁ ଡାକୋଟା ବିମାନ ଭୁବନେଶ୍ୱର ବିମାନବନ୍ଦରରେ ସଂରକ୍ଷିତ ରହିବ।

Leave A Reply

Your email address will not be published.