ହଠାତ୍ ରାସ୍ତାରେ ଯାଉଥିବାବେଳେ ଚାଳକଙ୍କ ଉପରେ ଛିଣ୍ଡିପଡ଼ିଲା ବିଦ୍ୟୁତ ତାର, ଜଳି ଗଲା ବାଇକ

କରଞ୍ଜିଆ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ସାତକୋଶିଆ ଠାରେ ରାସ୍ତାରେ ଯାଉଥିବ ଏକ ବାଇକ ଉପରେ ହଠାତ୍ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବାଇକ ଚାଳକ। କିନ୍ତୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଇକ ସପୂର୍ଣ୍ଣ ପୋଡି ଭସ୍ମ ହୋଇଯାଇଛି।

ବିଦ୍ୟୁତ ଜନିତ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ସାତକୋଶିଆ ଠାରେ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତା କୁ ଅବରୋଧ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ସାତକୋଶିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିଘାଟ ଗ୍ରାମର ଶ୍ରୀରାମ ନାଏକ ଜଣେ ସାଙ୍ଗ ସହିତ ଏକ ବାଇକ  ଯୋଗେ ସାତକୋଶିଆ ଡାକ୍ତରଖାନାକୁ ଆସୁଥିବା ବେଳେ ମେଡ଼ିକାଲ ନିକଟ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହଠାତ ବାଇକ ଉପରେ ଛିଣ୍ଡି ପଡିଥିଲା।

ବାଇକରେ ଥିବା ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାର ସଂସ୍ପର୍ଶରେ ଆସି ବାଇକଟି ସଂପୂର୍ଣ୍ଣ ଭାବେ ପୋଡି ଭସ୍ମ ହୋଇଯାଇଛି।ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଯାଇ ନିଆଁକୁ ଆୟତ୍ତ କରିଥିଲେ। ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବୀରେ ମେଡ଼ିକାଲ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ମହୁଲଡିହା ଥାନା ପୋଲିସ ପହଞ୍ଚି ରାସ୍ତା ରୋକ କରିଥିବା ଲୋକଙ୍କ ସହିତ ବୁଝା ସୁଝା ପରେ ରାସ୍ତାରୋକ ହଠିଥିଲା।

Leave A Reply

Your email address will not be published.