ଭାରସାମ୍ୟ ହରାଇ ପୋଲ ଉପରୁ ନଦୀକୁ ଖସିଲା ବାଇକ୍; ଜଣେ ମୃତ ଓ ଜଣେ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ସ୍ଥିତ ଦଣ୍ଡାବଡ଼ ଗ୍ରାମ ପାଖରେ ବାଇକରେ ଯାଉଥିବାବେଳେ ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଏକ ପୋଲ ଉପରୁ ଖସି ପଡି ଜଣେ ମୃତ ଓ ଜଣେ ଆହତ । ମୃତକ ବ୍ୟକ୍ତି ଦଶମନ୍ତପୁର ବ୍ଲକ ଦଣ୍ଡାବଡ଼ ଗ୍ରାମର ସଇନୋ ପ୍ରେସ୍କା (୪୦) ଓ ଆହତ ବ୍ୟକ୍ତି ସେହି ଗ୍ରାମର ନାରାୟଣ ମିଣିଆକା (୩୭) ବୋଲି ସୂଚନା ମିଳିଛି ।

ଗତକାଲି ସନ୍ଧ୍ୟାରେ ସଇନୋ ନିଜ ଗ୍ରାମରେ ନୂତନ ଘର କାମ ସାରି ନାରାୟଣକୁ ଡାକି ଦଶମନ୍ତପୁର ବଜାରକୁ ଆସି ବୁଲାବୁଲି କରିଥିଲେ। ଏକ ବାଇକରେ ବିଳମ୍ବିତ ରାତିରେ ଫେରୁଥିବା ସମୟରେ ଭାରସାମ୍ଯ ହରାଇ ପୋଲ ଉପରୁ ନଦୀକୁ ଖସି ପଡିଥିଲେ। ଏହାପରେ ସେମାନେ ଚିତ୍କାର କରିଥିଲେ ମଧ୍ଯ ରାତି ବହୁତ ହୋଇ ଯାଇଥିବାରୁ ତାଙ୍କ ଡାକ କେହି ଶୁଣି ପାରିନଥିଲେ । ତେବେ ସଇନୋଙ୍କ ମୁଣ୍ଡ ଓ ଦେହରେ ଆଘାତ ଲାଗି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ଶେଷରେ ପ୍ରାଣ ହାରିଥିଲେ ।

accidentଅନ୍ଯପଟେ ନାରାୟଣଙ୍କ ବାମ ହାତ ଭାଙ୍ଗି ଯାଇଥିବା ସହିତ ମୁହଁରେ ଆଘାତ ଲାଗିଥିବାରୁ ତାଙ୍କର ଚେତା ଚାଲି ଯାଇଥିଲା । ବହୁତ କଷ୍ଟରେ ସେଠାରୁ ସେ ଘରକୁ ଫେରିଥିଲେ। କାହାକୁ କିଛି ନ ଜଣାଇ ନାରାୟଣ ଘରେ ପଡ଼ିରହିଥିଲା । ସକାଳୁ ଉଠି ସଇନୋଙ୍କ ଭଣଜାକୁ ଦୁର୍ଘଟଣା ବିଷୟରେ କହିବା ପରେ ଗ୍ରାମର ଲୋକମାନେ ସେଠାରେ ପହଁଚି ଦଶମନ୍ତପୁର ଥାନାକୁ ଓ ଅଗ୍ନିସମ ବିଭାଗକୁ ଜଣେଇଥିଲେ ।

ଅଗ୍ନିଶମ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ମୃତ ସଇନୋଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଦଶମନ୍ତପୁର ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସଇନୋଙ୍କ ପରିବାରରେ ତାଙ୍କର ସ୍ତ୍ରୀ ଓ ଚାରିଜଣ ପୁଅ ଝିଅ ଥିବାରୁ ଗ୍ରାମର ଲୋକେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.