ଯାଜପୁର (କେନ୍ୟୁଜ): ବସ ଧକ୍କାରେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ। ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟ ବ୍ରାହ୍ମଣୀ ବ୍ରିଜ ଉପରେ। ମୃତ ଯୁବକ ଭଦ୍ରକ ଅଂଚଳର ପରିତୋଷ ମାଇପି ବୋଲି ଜଣାପଡିଛି। ସୂଚନା ମୁତାବକ ବସଟି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସମୟରେ ବାଇକ ଆରୋହୀଙ୍କ ମୁଣ୍ଡ ଉପରେ ବସଟି ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।
ଖବର ପାଇ ଧର୍ମଶାଳା ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ବସ ଓ ବାଇକକୁ ଜବତ କରି ଅଧିକ ତଦନ୍ତ ଚଳାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଚଣ୍ଡିଖୋଲ ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଅନେକ ସ୍ଥାନରେ ଗୋଟିଏ ପାର୍ଶ୍ୱରେ ଗାଡି ମଟର ଚଳାଚଳ କରୁଛି।
ଫଳରେ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।