ବାୟୋମେଟ୍ରିକରେ ରହିବ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଉପସ୍ଥାନ, ଦିନକୁ ଅଫିସରେ ସାଢ଼େ ୭ ଘଣ୍ଟା ରହିବା ବାଧ୍ୟତାମୂଳକ

ଭୁବନେଶ୍ବର(କେନ୍ୟୁଜ୍): ବାୟୋମେଟ୍ରିକରେ ରହିବ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଉପସ୍ଥାନ। ଦିନକୁ ଅଫିସରେ ସାଢ଼େ ୭ ଘଣ୍ଟା ରହିବା ବାଧ୍ୟତାମୂଳକ କରାଯାଇଛି। ଅଫିସ ଇନ୍‌ ଓ ଅଫିସ ଆଉଟ୍‌ ପଞ୍ଚ ନଦେଲେ ଅନୁପସ୍ଥିତ ବିବେଚିତ ହେବେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ସକାଳ ୧୦ଟାରୁ ଅଫିସ ଆସିବେ । ଏଥିରେ ଆଉ ଅଧଘଣ୍ଟା କୋହଳ କରାଯାଇଛି। ଅର୍ଥାତ ସକାଳ ସାଢ଼େ ୧୦ଟା ଭିତରେ ଅଫିସରେ ପହଞ୍ଚିବାକୁ ପଡ଼ିବ। ଅଧଘଣ୍ଟା ବିଳମ୍ବରେ ଆସିଲେ ସନ୍ଧ୍ୟା ୬ଟା ପୂର୍ବରୁ କୌଣସି କର୍ମଚାରୀ ଅଫିସ ଛାଡ଼ି ପାରିବେ ନାହିଁ। ସାଢ଼େ ୧୦ଟାରୁ ୧୧ଟା ଭିତରେ ଅଫିସରେ ପହଞ୍ଚିଲେ ବିଳମ୍ବ ଉପସ୍ଥାନ ବିବେଚିତ ହେବେ। ମାସରେ ତିନି ଦିନ ବିଳମ୍ବ ଉପସ୍ଥାନ ପାଇଁ ଗୋଟିଏ ଦିନ ଛୁଟି ଗଣାଯିବ। ସେହିପରି ଯଦି ଦିନକୁ ଜଣେ କର୍ମଚାରୀଙ୍କ ଉପସ୍ଥାନ ଚାରି ଘଣ୍ଟାରୁ ଅଧିକ ଓ ସାଢ଼େ ୭ଘଣ୍ଟାରୁ କମ୍‌ ହେବ ହାଫ୍‌ ଡେ ଲିଭ୍‌ ବୋଲି ଧରାଯିବ। ୪ ଘଣ୍ଟାରୁ କମ୍‌ ଉପସ୍ଥାନ ରହିଲେ ଗୋଟିଏ ଦିନ ଛୁଟି ବୋଲି ଧରାଯିବ।