ଭିନ୍ନ ଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରି ବେଶ୍ ଲୋକପ୍ରିୟତା ସାଉଁଟିଥିଲେ ବିରାଜ ଦାସ

ଭୁବନେଶ୍ବର(କେନ୍ୟୁଜ୍‌): ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ । ଗତକାଲି ୬୩ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି କର୍କଟରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ବିରାଜଙ୍କ ପରଲୋକ ନେଇ ସାନ ପୁଅ ଅର୍ଣ୍ଣବ ଦାସଙ୍କ ସୂଚନା । ଅନେକ ଟିଭି ସିରିୟଲ ଓ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଥିଲେ ବିରାଜ । ଖବର ପାଇ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ଦର୍ଶନ ପାଇଁ ଓଲିଉଡ୍‌ର ଅନେକ କଳାକାର ଏକାଠି ହୋଇଛନ୍ତି ।

ସୂଚନାଯୋଗ୍ୟ, ବିରାଜ ଦାଶ ଦୂରଦର୍ଶନର ବହୁ ଧାରାବାହିକରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକ ମହଲରେ ବେଶ ଲୋକପ୍ରିୟତା ସାଉଁଟିଥିଲେ। ୧୯୯୫ରେ ରିଲିଜ ହୋଇଥିବା ଭାଇ ମୋର ଜଗା, ୧୯୯୯ର ପ୍ରେମ ବନ୍ଧନ ଠାରୁ ଆରମ୍ଭ କରି ମା’ ପରି କିଏ ହେବ ଭଳି ସୁପର ହିଟ୍‌ ସିନେମାରେ ସେ ଅଭିନୟ କରିଥିଲେ। ଏହାବାଦ ଓଡ଼ିଆ ସରିୟଲ ଓ ଅନେକ ଟକ ଶୋ’ ମଧ୍ୟ ସେ ନିଜର ଆସିଥିଲେ। ଓଡ଼ିଆ ଚଳଚ୍ଚିତ୍ର ‘ଯା ଦେବୀ ସର୍ବଭୂତେଷୁ, ବଗୁଲାବଗୁଲି, ତମସାତୀରେ, ମା’ ପରି କିଏ ହେବ ଓ ‌ଗୋଲାମଗିରି’ରେ ଅଭିନୟ କରିଥିଲେ।

ସେହିପରି ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ‘ଆକାଶ କୟାଁ ଚିଲିକା ମାଛ, ସୁନା କାଇଁଚ ଓ ମୂଲିଆ’ରେ ଅଭିନୟ କରିଥିଲେ। ବଙ୍ଗଳା ଚଳଚ୍ଚିତ୍ର ‘ନ୍ୟାୟଚକ୍ର’ରେ ମଧ୍ୟ ତାଙ୍କର ଅଭିନୟ ଦେଖିବାକୁ ମିଳିଥିଲା। ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’ ପାଇଁ ନିର୍ମିତ ୱେବ୍‌ ସିରିଜ୍‌ ‘ଧଉଳି ଏକ୍ସପ୍ରେସ୍‌’ରେ ମଧ୍ୟ ସେ ଅଭିନୟ କରିଥିଲେ। ମାତ୍ର ଏହା ଏଯାଏଁ ପ୍ରସାରିତ ହୋଇପାରି ନାହିଁ। ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ହେଉଛି ପ୍ରଣବ ଦାସଙ୍କ ନିର୍ଦ୍ଦେଶିତ ‘ଅଜାତି’। ଏହି ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ ଅପେକ୍ଷାରେ ରହିଛି।

ଅଭିନୟ ତାଙ୍କର ନିଶା ହୋଇଥିବା ବେଳେ ସେ ପେସାରେ ଥିଲେ ଜଣେ ବ୍ୟାଙ୍କ କର୍ମଚାରୀ। ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା କଳା ଜଗତରେ ଶୋକର ଛାୟା ଖେଳିଯାଇଛି।